ବାଘକୁ ବାନ୍ଧିଛି ମଣିଷ ସେ ବି ବାଇକ ପଛରେ । ଆଜ୍ଞା ହଁ କର୍ଣ୍ଣାଟକରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଜଣେ ବ୍ୟକ୍ତି ଏକ କଲରାପତରିଆ ବାଘକୁ ନିଜ ବାଇକ୍ ପଛରେ ବାନ୍ଧି ନେଉଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ତେବେ ମିଳିଥିବା ସୂଚନା ଅନୁସାରେ, କଲରାପତରିଆ ବାଘର ବୟସ ଅତି ବେଶିରେ ୯ ମାସର ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ତାକୁ ଧରିଥିବା ବ୍ୟକ୍ତି ଜଣକ ହେଉଛି ମୁଥୁ । ହାସନ ଜିଲ୍ଲାର ବାଗିଭାଲୁ ଗାଁରେ ତାଙ୍କର ଘର । ମୁଥୁଙ୍କ କହିବାନୁଯାୟୀ, ସେ ବାଘକୁ ଧରି ବନ ବିଭାଗ ନିକଟକୁ ହସ୍ତାନ୍ତର କରିବାକୁ ନେଉଥିଲେ। ନିଜର ସୁରକ୍ଷା ପାଇଁ ସେ କାବୁ କରିଥିଲେ । ମୁଥୁଙ୍କ ଫାର୍ମରେ ବାଘଟି ବୁଲୁଥିଲା । ସେ କିଛି କ୍ଷତି କରିବା ପୂର୍ବରୁ ମୁଥୁ ତାକୁ ପ୍ରଥମେ ଗୁଳି ମାରିଥିଲେ ଆଉ ଗୁଳିମାଡ଼ରେ ଅଚେତ୍ ହେବା ପରେ ତାର ଚାରି ଗୋଡ଼କୁ ବାନ୍ଧି ଏକ ରସିରେ ବାନ୍ଧିଥିଲେ । ତା’ପରେ ବାଇକ୍ ପଛରେ ବାନ୍ଧି ବନ ବିଭାଗକୁ ହସ୍ତାନ୍ତର କରିବାକୁ ନେଉଥିଲେ । ଗୁଳିମାଡ଼ରେ ବାଘର ବେଶୀ କିଛି କ୍ଷତି ହୋଇନଥିବା କହିଛନ୍ତି ମୁଥୁ ।
ଅନ୍ୟ ପକ୍ଷରେ ବନ ବିଭାଗ ପକ୍ଷରୁ କୁହଯାଇଛି ଯେ, ମୁଥୁ କୌଣସି ଖରାପ ଉଦେଶ୍ୟ ରଖି ବାଘକୁ ଆକ୍ରମଣ କରିନଥିଲେ । ସେ ନିଜକୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । କିନ୍ତୁ ସେ ବାଘ ସହ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି ତାହା ଖରାପ । ଏହା କେବଳ ସଚେତନତା ଅଭାବ କାରଣରୁ ହୋଇଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । ଏବେ ବାଘକୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି । ସେଠାରେ ସେ ଧିରେ ଧିରେ ସୁସ୍ଥ ହେଉଛି । ସମ୍ପୂଣ୍ଣ ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ :- ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡିଆ ମୃତ,୧୦ ଜଣ ଗୁରୁତର