ଇସ୍ରାଏଲ ଓ ହମାସ ଯୁଦ୍ଧକୁ ୨୪ଦିନ ପୁରିଛି । ଇସ୍ରାଏଲ ସେନା ତରଫରୁ ଗାଜାରେ ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଏହାର ସିଧାସଳଖ ପ୍ରଭାବ ଗାଜାର ସାଧାରଣ ଲୋକଙ୍କ ଉପରେ ପଡିଛି । ସେପଟେ ଇଣ୍ଟରନେଟ୍ ବନ୍ଦ ହୋଇଯିବା କାରଣରୁ ଲୋକମାନେ ପରସ୍ପର ସହ ଯୋଗାଯୋଗ କରିପାରୁ ନାହାଁନ୍ତି । ଗାଜା ବର୍ତ୍ତମାନ ଏକ ସଂପୂର୍ଣ୍ଣ ଯୋଗାଯୋଗ ବ୍ଲାକଆଉଟ୍ ଅଧୀନରେ ଅଛି - ଇଣ୍ଟରନେଟ୍ ଏବଂ ଫୋନ୍ ସେବା ପ୍ରାୟ ଏକ ଦିନ ପାଇଁ କଟାଯାଇଛି | ପାଲେଷ୍ଟାଇନ ରେଡକ୍ରସ କହିଛନ୍ତି ଯେ ଇସ୍ରାଏଲ ଯୋଗାଯୋଗ କାଟି ଦେଇଛି। ଏହା ଭିତରେ ସ୍ପେଶେକ୍ସର ମାଲିକ ଏଲନ୍ ମସ୍କ ଏକ ବଡ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ , ଗାଜାର ଲୋକଙ୍କୁ ସେ ସହାୟତା କରିବେ । ଗାଜାକୁ ସହାୟତା ଯୋଗାଉଥିବା ଅନ୍ତର୍ଜାତୀୟ ସଂସ୍ଥାମାନଙ୍କୁ ଯୋଗାଯୋଗ କରିବାରେ ମସ୍କ ସହାୟତା କରିବେ ।
ଅନ୍ୟପଟେ ଆମେରିକା ପ୍ରତିନିଧୀ ଆଲେକଜୋଣ୍ଡ୍ରିୟା ଓକୋସିୟୋ କୋର୍ଟେଜ କହିଛନ୍ତି କି ଗାଜାର ଲୋକଙ୍କୁ ଇଣ୍ଟରନେଟ୍ ସେବାରୁ ବଞ୍ଚିତ କରିବା ଠିକ୍ ନୁହେଁ । ଫଳରେ ମେଡିକାଲ ପ୍ରଫେସନାଲ ଓ ସାଧାରଣ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାପରେ ଏଲନ୍ ମସ୍କ ଘୋଷଣା କରିଛନ୍ତି କି, ଗାଜାରେ କାମ କରୁଥିବା ଅନ୍ତର୍ଜାତୀୟ ସଂସ୍ଥାଙ୍କୁ ଷ୍ଟାରଲିଙ୍କ୍ ତରଫରୁ କମ୍ୟୁନିକେଶନ କନେକସନ ଉପଲବ୍ଧ କରାଇବେ । ଏହା ପୂର୍ବରୁ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟ ଷ୍ଟାରଲିଙ୍କ ୟୁକ୍ରେନକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେଇଛି ।
ଅଧିକ ପଢ଼ନ୍ତୁ : ମେଟା ବିରୋଧରେ ମାମଲା ରୁଜୁ