ନୂଆଦିଲ୍ଲୀ: ପୂର୍ବତନ ରୁଷ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଘଣ୍ଟା ପୂର୍ବରୁ ଷ୍ଟାରୋଭୋଇଟ୍ଙ୍କୁ ବହିଷ୍କାର କରିଥିଲେ। ଆଉ ଏହା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଷ୍ଟାରୋଭୋଇଟ। ତାଙ୍କ ମୃତଦେହ ତାଙ୍କ କାରରୁ ମିଳିଥିବା ରୁଷର ଅଧିକାରୀମାନେ କହିଛନ୍ତି।
ୟୁକ୍ରେନ ସୀମାନ୍ତବର୍ତ୍ତୀ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ଭାବରେ ପ୍ରାୟ ୫ ବର୍ଷ ବିତାଇବା ପରେ ତାଙ୍କୁ ୨୦୨୪ ମେରେ ପରିବହନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ରୁଷର ବିମାନ ଚଳାଚଳ ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ଅବହେଳା ଏବଂ ଦୁର୍ନୀତି ଅଭିଯୋଗ ଯୋଗୁଁ ଷ୍ଟାରୋଭୋଇଟ୍ଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହେବା ପରେ ଷ୍ଟାରୋଭୋଇଟ୍ ଆତ୍ମହତ୍ୟା କରିଛନ୍ତି। ଷ୍ଟାରୋଭୋଇଟ୍ଙ୍କ ସ୍ଥାନରେ ଉପ ପରିବହନ ମନ୍ତ୍ରୀ ଆଣ୍ଡ୍ରେ ନିକିଟିନ୍ଙ୍କୁ ନିଯୁକ୍ତି ଦିଆଯାଇଛି, ଯିଏ ବର୍ତ୍ତମାନ କାର୍ଯ୍ୟକାରୀ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଗତ ମାସରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମ୍ ପୂର୍ବରୁ ରୋମାନ ଷ୍ଟାରୋଭୋଇଟଙ୍କୁ ମନ୍ତ୍ରୀ କରିବା ଯୋଜନା ଚାଲିଥିଲା। ରୋମାନ ଷ୍ଟାରୋଭୋଇଟ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ପଦ ଛାଡିବାର ଦୁଇ ମାସ ପରେ, ୟୁକ୍ରେନୀୟ ସୈନିକମାନେ ସୀମା ପାର କରି କୁର୍ସ୍କରେ ପ୍ରବେଶ କରିଥିଲେ। ଚଳିତ ବର୍ଷ ଆରମ୍ଭରେ ରୁଷ ସେନା ୟୁକ୍ରେନୀୟ ସେନାକୁ କୁର୍ସ୍କରୁ ବାହାର କରିଦେଇଥିଲା। ଏହା ପରେ କ୍ଷମତାର ଅପବ୍ୟବହାର ଅଭିଯୋଗରେ କୁର୍ସ୍କର କିଛି ଆଞ୍ଚଳିକ ଅଧିକାରୀଙ୍କୁ ଗିରଫ କରାଯାଇଥିଲା।
ରୁଷରେ, ରୋମାନ ଷ୍ଟାରୋଭୋଇଟଙ୍କୁ ସାମାଜିକ ଗଠନ ବିକଶିତ କରିଥିବା ନେତା ଭାବରେ ବିବେଚନା କରାଯାଉଥିଲା। ସେ ରୁଷରେ ରାସ୍ତାର ଏକ ନେଟୱର୍କ ନିର୍ମାଣ କରିଥିଲେ। ତାଙ୍କ କାର୍ଯ୍ୟରେ ଖୁସି ହୋଇ, ପୁଟିନ ତାଙ୍କୁ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ପ୍ରଥମେ ତାଙ୍କୁ ଉପ ପରିବହନ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ଏବଂ ତା'ପରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା।