ଆସିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ ଦୁର୍ଗା । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଏହି ଷୋଡଶ ଉପଚାର ବିଧି ।
ପୌରାଣିକ କଥା ଅନୁସାରେ, ରାଜା ଦକ୍ଷ ପ୍ରଜାପତିଙ୍କର କନ୍ୟା ସତୀ ଶିବହୀନ ଯଜ୍ଞକୁ ଅସହ୍ୟ ମଣି ଯଜ୍ଞକୁଣ୍ଡକୁ ଝାସ ଦେବାପରେ ତାଙ୍କ ଶରୀରକୁ ଭଗବାନ ଶିବ କାନ୍ଧରେ ବୋହି କରି କ୍ରୋଧ ଜର୍ଜରିତ ହୋଇ ଭ୍ରମଣ କରିବାରେ ଲାଗିଲେ । ଶିବଶଙ୍କରଙ୍କର ଏପରି କ୍ରୋଧାନ୍ୱିତ ଓ ବିବତ୍ସ ଅବସ୍ଥା ଦେଖି ସ୍ୱୟଂବିଷ୍ଣୁ ତାଙ୍କ ଚକ୍ର ଦ୍ଵାରା ସତୀଙ୍କର ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଲେ । ଯେଉଁ ଯେଉଁ ସ୍ଥାନମାନଙ୍କରେ ସତୀଙ୍କର ଦିବ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପଡ଼ିଲା, ସେହିସବୁ ସ୍ଥାନଗୁଡ଼ିକରେ ଭିନ୍ନଭିନ୍ନ ଶକ୍ତିପୀଠମାନ ଗଢିଉଠିଲା । ୫୧ ଗୋଟି ଶକ୍ତିପୀଠ ମଧ୍ୟରୁ ଓଡିଶାରେ ରହିଛି ମାଆ ଜଗତଜନନୀଙ୍କ ଅଷ୍ଟଗୋଟି ଶକ୍ତିପୀଠ । ଏହି ଅଷ୍ଟଗୋଟି ଶକ୍ତିପୀଠ ପୀଠ ମଧ୍ୟରୁ ଗୋଟିଏ ହେଉଛି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ବାସିନୀ ମାଆ ଶାରଳାଙ୍କ ମନ୍ଦିର ।
ଏହି ପାର୍ବଣ ଅବସରରେ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ ହୋଇଯାଇଛି। ମା ଙ୍କର ବିଭିନ୍ନ ବେଶ ସହିତ ଷୋଡଶ ଉପଚାରରେ ଚାଲିଛି ପୂଜାର୍ଚ୍ଚନା । ମୂଳାଷ୍ଟମୀ ଠାରୁ ଆରମ୍ବ ହୋଇଛି ମାଙ୍କର ଷୋଡ଼ଶ ଉପଚାର । ଯାହାକି ଦଶହରାରେ ଶେଷ ହେବ। ବିଶେଷ କରି ମା ଙ୍କ ର ୧୦ ୮ ପ୍ରକାର ଭୋଗ ସହିତ ମା ମହିଷାମର୍ଦ୍ଦିନୀ ବେଶ ରେ ଦର୍ଶନ ଦେବେ । ଏବେ ଠାରୁ ଭକ୍ତଙ୍କ ଆଗମନ ଆରମ୍ଭ ହେଲାଣି। ଭକ୍ତଙ୍କ ଗହଳିରେ ପ୍ରକମ୍ପିତ ହେଉଛି ପିଠ। ଚଣ୍ଡୀପାଠ ସହିତ ଆରମ୍ଭ ହୋଇଛି ରୀତି ନୀତିରେ ମାଆଙ୍କର ପୂଜାର୍ଚ୍ଚନା ।
ଅଧିକ ପଢନ୍ତୁ ;- ଷୋହଳ ସୋମବାର ବ୍ରତର ମହତ୍ତ୍ୱ