ଆଜି ହେଉଛି ସୋମବାର । ସୋମବାର ଦିନ ପ୍ରଭୁ ଶିବଙ୍କୁ ପୂଜା ପୂଜା କରାଯାଏ । ପ୍ରଭୁ ଶିବଙ୍କୁ ମହାଦେବ, ଭୋଳାନାଥ ଇତ୍ୟାଦି ନାମରେ ଭକ୍ତ ଭକ୍ତିରେ ଡାକିଥାଏ । ପ୍ରଭୁ ଶିବଙ୍କର ଆଶୀର୍ବାଦ ପାଇବା ପାଇଁ ସୋମବାର ଉପବାସ ପାଳନ କରାଯାଏ । ସାଧାରଣତଃ କିଛି ଲୋକ ସୋମବାର ଦିନ ଉପାସ ରହିଥାନ୍ତି ତ ପୁଣି କେତେ ଲୋକ ଷୋହଳ ସୋମବାର ବ୍ରତ କରିଥାନ୍ତି । ଷୋହଳ ସୋମବାର ବ୍ରତ ବହୁତ ନିଷ୍ଠା ଓ କାଷ୍ଠାରେ ସହିତ କରାଯାଏ । ଷୋହଳଟି ସୋମବାରରେ ପ୍ରଭୁ ଶିବଙ୍କର ଦର୍ଶନ କରିବା ସହିତ ମନେ ମନେ ପ୍ରଭୁଙ୍କ ନାମ ଜପ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଷୋହଳ ସୋମବାର ଉପବାସ ଆରମ୍ଭ କରିବା ପୂର୍ବରୁ ଭକ୍ତଙ୍କୁ ବିଭିନ୍ନ ନୀତି, ନିୟମ ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ । ପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଷୋହଳ ସୋମବାର ବ୍ରତ କରାଯାଏ । ଷୋହଳ ସୋମବାର କାହିଁକି ପାଳନ କରାଯାଏ ? ଆସନ୍ତୁ ଜାଣିବା ଏକ ପୌରାଣିକ କଥା ଅନୁଯାୟୀ, ଷୋହଳ ସୋମବାର ଉପବାସ କାହିଁକି କରାଯାଏ -
ଦିନେ ଶ୍ରାବଣ ମାସରେ ମୁନିଋଷି ଉଜ୍ଜେନ କ୍ଷିପ୍ରା ନଦୀରେ ସ୍ନାନ କରିସାରିବା ପରେ ପ୍ରଭୁ ଶିବଙ୍କୁ ଆରାଧନା କରିବା ପାଇଁ ଏକାଠି ହୋଇଥିଲେ । ଠିକ ଏତିକି ବେଳେ ଜଣେ ରୁପସୀ ଅହଙ୍କାରୀ ମହିଳା ନିଜ ଦୁଷ୍ଟ ଓ କୁ ଚିନ୍ତାରେ ଋଷିଙ୍କର ଆରାଧନାକୁ ଭ୍ରଷ୍ଟ କରିବା ପାଇଁ ଆସିଥିଲେ । କିନ୍ତୁ ଋଷି ମହିଳାର କୁଚିନ୍ତା ଜାଣିପାରି ତାଙ୍କ ତପୋବଳରେ ମହିଳାଙ୍କ ଶରୀରର ସୁଗନ୍ଧ ଲୁପ୍ତ କରିଦେଇଥିଲେ । ମହିଳା ଜଣକ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ମହିଳାଙ୍କୁ ଲାଗିଲା ଯେ ସତେ ଯେପରି ତାଙ୍କର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଇଛି । ତା ପରେ ମହିଳାଙ୍କ ମନ ପରିବର୍ତ୍ତନ ହୋଇଗଲା ଓ ସେ ପ୍ରଭୁଙ୍କର ଭକ୍ତି ମାର୍ଗରେ ଚାଲିଲେ । ମହିଳା ଜଣକ କରିଥିବା ପାପର ପ୍ରାୟଶ୍ଚିତ ପାଇଁ ଋଷିଙ୍କୁ ଉପାୟ ପଚାରିଥିଲେ । ଋଷି କହିଥିଲେ, ସେ ଷୋହଳ ଶୃଙ୍ଗାର ବଳରେ ଅନେକ ଲୋକ ଧର୍ମଭ୍ରଷ୍ଟ ହୋଇଛନ୍ତି । ସମସ୍ତଙ୍କୁ ଏହି ପାପରୁ ମୁକ୍ତି କରିବା ପାଇଁ କାଶୀରେ ବାସ କରି ଷୋହଳ ସୋମବାର ବ୍ରତ ଓ ଭଗବାନ ଶିବଙ୍କୁ ପୂଜା କରିବାକୁ ହେବ ବୋଲି ଋଷି କହିଥିଲେ । ଋଷିଙ୍କ କହିବାନୁଯାୟୀ ମହିଳା ତାହା ହିଁ କଲେ ଓ ନିଜ ପାପର ପ୍ରାୟଶ୍ଚିତ ପାଇଁ ଶିବଲୋକରେ ପହଞ୍ଚିଲେ। ଶିବଙ୍କ କୃପାରୁ ସେ ସବୁ ପାପରୁ ମୁକ୍ତ ହେଲେ।
ସେହିଦିନ ଠାରୁ ଆଚରଣ ଶୁଦ୍ଧତା ପାଇଁ ଷୋହଳ ସୋମବାର ବ୍ରତ ପାଳନ କରାଯାଏ। ଷୋହଳ ସୋମବାର ବ୍ରତ ଦ୍ୱାରା କନ୍ୟାଙ୍କୁ ସୁନ୍ଦର, ଯୋଗ୍ୟ ସ୍ୱାମୀ ପ୍ରାପ୍ତ ହୋଇଥାଏ । ପ୍ରଭୁ ଶିବଙ୍କୁ ସ୍ମରଣ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଆଗକୁ ପଢ଼ନ୍ତୁ : ରବିବାର ଦିନ କରନ୍ତୁ ନାହିଁ ଏହି କାର୍ଯ୍ୟ