ବରଗଡ଼ : ବାନ୍ଦୁଟିକ୍ରା ରାସ୍ତାରେ ଜମା ହୋଇଥିବା ପାଣିରେ ମାଛ ଛାଡି ପୌରପ୍ରଶାସନର ଦୃଷ୍ଟି ଆକର୍ଷଣ କଲା ଛାତ୍ର କଂଗ୍ରେସ। ବରଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବାନ୍ଦୁରଟିକ୍ରାରୁ ଘୁଲିପାଲି ଯିବା ରାସ୍ତାରେ ପାଣି ଜମା ହୋଇଥିବା ବେଳେ ବାନ୍ଦୁରଟିକ୍ରାର ବିଭିନ୍ନ ଗଲିରେ ଡ୍ରେନ ପାଣି ଜମା ହୋଇଥିବା ଦୃଶ୍ୟ ଦେଖାଯାଉଛି। ସୋମବାର ବରଗଡ଼ ଛାତ୍ର କଂଗ୍ରେସ ପକ୍ଷରୁ ଜମା ହୋଇଥିବା ପାଣିରେ ମାଛ ଛଡାଯାଇ ଏହାର ପ୍ରତିବାଦ କରାଯାଇଛି।
ଦୀର୍ଘ ବର୍ଷ ଧରି ଏହି ସ୍ଥାନରେ ବର୍ଷା ପାଣି ଓ ଡ୍ରେନେଜ ପାଣି ଜମା ହେଉଥିବା ବେଳେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ବହୁ ଲୋକେ ଯିବା ଆସିବା କରନ୍ତି ତେବେ ବର୍ଷା ହେଲେ ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଏହି ସମସ୍ୟାକୁ ଅଣ ଦେଖା କରୁଛି ପୌରପ୍ରଶାସନ। ତେବେ ଦୀର୍ଘ ବର୍ଷରୁ ପ୍ରଶାସନକୁ ସମସ୍ୟା ଜଣାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା କରିନାହିଁ। ଯାହାକୁ ନେଇ ଏହି ଜମା ହୋଇଥିବା ପାଣିରେ ମାଛ ଛଡାଯାଇଛି।
ତେବେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଗୌରବପତି ଆଜାଦଙ୍କ ସହ ଅନେକ କର୍ମୀ ଓ ପଡ଼ାବାସି ସାମିଲ ହୋଇଥିଲେ। ଏପରିକି ତୁରନ୍ତ ସେମାନଙ୍କ ଦାବି ପ୍ରଶାସନ ଶୁଣି ସମସ୍ୟାର ସମାଧାନ କରୁ ବୋଲି ସେମାନେ ନାରା ଦେଇଚାଲିଥିଲେ। ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।