ଭୁବନେଶ୍ୱର: ରାଜ୍ୟ ସରକାର ବନ ମହୋତ୍ସବ ସପ୍ତାହ ପାଳନ ଏବଂ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ପ୍ରଦାନ କରାଯାଉଥିବା ପୁରସ୍କାର ରାଶିକୁ ବୃଦ୍ଧି କରିଛନ୍ତି । ଆଜି ରାଜ୍ୟ ବନମୋହତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହି ସମସ୍ତ ପୁରସ୍କାର ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ କର୍ମଚାରୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କାର ଦିଆଯାଏ । ଯେହେତୁ ଏହା ଏକ ସାମାଜିକ ଦାୟିତ୍ୱ ତେଣୁ ଏଥିରେ ସମସ୍ତଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ପୁରସ୍କାର ଗୁଡିକ ହେଉଛି, ବିଶ୍ୱ ବନ ଦିବସ (ମାର୍ଚ୍ଚ ୨୧), ବିଶ୍ୱ ପରିବେଶ ଦିବସ (ଜୁନ ୫), ବନ ମହୋତ୍ସବ ସପ୍ତାହ (ଜୁଲାଇ ପ୍ରଥମ ସପ୍ତାହ) ଓ ବନ୍ୟ ପ୍ରାଣୀ ସପ୍ତାହ (ଅକ୍ଟୋବର ମାସ) ।
ବିଶ୍ୱ ବନ ଦିବସ ଅବସରରେ ବନ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କ ପାଇଁ ରାଜ୍ୟ ବନ ପୁରସ୍କାର ରହିଛି । ଏଥିରେ ୪ଜଣ ଫରେଷ୍ଟ ରେଞ୍ଜର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ଫରେଷ୍ଟ ଗାର୍ଡଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସମସ୍ତଙ୍କୁ ମାନପତ୍ର, ମେଡାଲ ସହିତ ୧୦ ହଜାର ଟଙ୍କା ଲେଖାଏ ପୁରସ୍କାର ଦିଆଯିବ। ବନୀକରଣ କିମ୍ବା ବୃକ୍ଷରୋପଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର ଏଥିରେ ପ୍ରତ୍ୟେକ ସବ୍ଡିଭିଜନ୍ର ଗୋଟିଏ ଶିକ୍ଷାନୁଷ୍ଠାନକୁ ୧୦ ହଜାର ଟଙ୍କା ଏବଂ ପ୍ରତ୍ୟେକ ସବଡିଭିଜନର ଗୋଟିଏ ଗ୍ରାମପଞ୍ଚାୟତକୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।
ଜୁନ ୫ରେ ପାଳିତ ହେଉଥିବା ବିଶ୍ୱ ପରିବେଶ ଦିବସରେ ପ୍ରକୃତି ମିତ୍ର ପୁରସ୍କାର ଏବଂ ପ୍ରକୃତି ବନ୍ଧୁ ପ୍ରଦାନ କରାଯାଇଥାଏ । ପ୍ରକୃତି ମିତ୍ର ପୁରସ୍କାରରେ ପ୍ରତ୍ୟେକ ବ୍ଲକର ଗୋଟିଏ ଗ୍ରାମ, ଗୋଟିଏ ଶିକ୍ଷାନୁଷ୍ଠାନ କିମ୍ବା ଗୋଟିଏ ପଞ୍ଜିକୃତ ସଂସ୍ଥାକୁ ଉଲ୍ଲେଖନୀୟ କାମ ପାଇଁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ସେହିପରି ପ୍ରକୃତି ବନ୍ଧୁ ପୁରସ୍କାରରେ ପ୍ରତ୍ୟେକ ବ୍ଲକର ଜଣେ ବ୍ୟକ୍ତିକୁ ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ।
ଜୁଲାଇ ପ୍ରଥମ ସପ୍ତାହରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ବନ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗୋଟିଏ ବନ ସୁରକ୍ଷା ସମିତିକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ । ଏଥିରେ ପ୍ରମାଣପତ୍ର ସହିତ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏହା ସହିତ ପ୍ରତ୍ୟେକ ସବଡିଭିଜନରେ ମଧ୍ୟ ଗୋଟିଏ ଲେଖାଏଁ ବନ ସୁରକ୍ଷା ସମିତିକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।
ସେହିପରି ବନ୍ୟ ପ୍ରାଣୀ ସପ୍ତାହ (ଅକ୍ଟୋବର ମାସ)ରେ ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏଥିରେ ବନ୍ୟ ପ୍ରାଣୀ ଓ ଜୈବ-ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଅନୁଷ୍ଠାନକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଗୋଟିଏ ସାର୍ଟିଫିକେଟ୍ ଓ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ସବଡିଭିଜନ ସ୍ତରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗୋଟିଏ ସାର୍ଟିଫିକେଟ ଓ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।