ଛତିଶଗଡ: ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ ହୋଇଛନ୍ତି। ଛତିଶଗଡ଼ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସେ ପ୍ରାଣ ହରାଇଛନ୍ତି । ସୋଡ଼ି କନ୍ନା ପିଏଲ୍ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର ।
ସୋମବାର ଛତିଶଗଡ ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନ୍ୟାସନାଲ ପାର୍କ ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ୍ କରି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି, ସିଆରପିଏଫ ଓ ଏସଟିଏଫ ବାହିନୀର ଜବାନ ମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ଗୁଳିରେ ସୋଡି କନ୍ନାର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।