ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ୟୁଟ୍ୟୁବ ଚ୍ୟାନେଲ୍ ଖୋଲି ଭ୍ଲଗ କରିବାରେ ସମସ୍ତେ ବ୍ୟସ୍ତ । ନୂଆ ଥିମରେ ନୂଆ କଣ୍ଟେଣ୍ଟ ଦେଇ ନିଜ ଫଲୋଅରସ ବଢାଇବା ସହ ଏହା ରୋଜଗାରର ମାଧ୍ୟମ ମଧ୍ୟ ହେଇପାରୁଛି । ଆପଣ ମାନେ ଜାଣିଛନ୍ତି କି ଏପରି ଏକ ଗାଁ, ଯେଉଁଠି ରହିଛନ୍ତି ଘରେ ଘରେ ୟୁଟ୍ୟୁବର ଯେଉଁଠି କେବଳ ଯୁବକ କି ପିଲା ନୁହେ ୮୫ ବର୍ଷୀୟ ବୃଦ୍ଧ ବି ଅଭିନୟ କରନ୍ତି ।
ଆମ ଦେଶରେ ରହିଛି ଲକ୍ଷ ଲକ୍ଷ ଗାଁ । ହେଲେ ଏଥିମଧ୍ୟରୁ ଅନେକ ଏପରି ଗାଁ ଅଛି ଯାହା ନିଜର ବିଶେଷତ୍ବ ପାଇଁ ବେଶ ପରିଚିତ । ସେହିପରି ଏପରି ଏକ ଗାଁ ଅଛି, ଯେଉଁଠି ଅଛନ୍ତି ଘରେ ଘରେ ୟୁଟ୍ୟୁବର । ଅଭିନୟର ନିଶା ଏମିତି ଯେ ପିଲାଠାରୁ ବୁଢା ସମସ୍ତେ ହେଉଛନ୍ତି ଜଣେ ଜଣେ ଆକ୍ଟର । ଏହି ଗାଁର ଜନସଂଖ୍ୟା ହେଉଛି ପ୍ରାୟ ୬ ହଜାର ଅଧିକ ଏବଂ ଏହି ଗାଁ ଲୋକଙ୍କର ରହିଛି ୪୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ୍ । ସବୁଠାରୁ ବଡ କଥା ହେଉଛି ଗାଁରେ ତିଆରି ହୋଇଛି ହାଇଟେକ୍ ଷ୍ଟୁଡିଓ । ଏବେ ଆପଣ ମାନେ ଭାବୁଥିବେ ଏହି ଗାଁଟି ନିଶ୍ଚୟ ଭାରତ ବାହାରେ ଥିବ ହେଲେ ଏହି ଗାଁଟି ଆମ ଭାରତରେ ହିଁ ରହିଛି । ସେ ପୁଣି ଆମ ପଡୋଶୀ ରାଜ୍ୟ ଛତିଶଗଡ଼ରେ । ଗାଁର ନା ହେଉଛି ତୁଳସୀ ଗାଁ। ଏହି ଗାଁକୁ ୟୁଟ୍ୟୁବରଙ୍କ ଗାଁ ବୋଲି ଆଖ୍ୟା ଦିଆଯାଇଛି । ଏଠାକାର ପ୍ରତି ପରିବାରରେ ରହିଛନ୍ତି ଜଣେ ଜଣେ ୟୁଟ୍ୟୁବର ।
ସାରା ଦେଶରେ ଛତିଶଗଡ଼ ନକ୍ସଲ ହିଂସାଲାଗି ପରିଚିତ ଥିବା ବେଳେ ଏହି ଗାଁ ଏବେ ଦେଇଛି ନୂଆ ପରିଚୟ । ୨୦୧୬ ମସିହାରେ ପ୍ରଥମେ ଗାଁର ଦୁଇ ସାଙ୍ଗ ଜୟ ବର୍ମା ଓ ଜ୍ଞାନେନ୍ଦ୍ର ଆରମ୍ଭ କରିଥିଲେ ୟୁଟ୍ୟୁବ ଚ୍ୟାନେଲ । ପ୍ରଥମେ ଏମାନେ ଦୁଇଜଣ କମେଡି ଭିଡିଓ ବନାଇବା ଆରମ୍ଭ କରିଥିଲେ । ଆଉ ଏହାପରେ ଏଥିରେ ଧିରେ ଧିରେ ଗାଁର ଲୋକମାନେ ଅଭିନୟ କରିବା ଆରମ୍ଭ କଲେ । ପ୍ରଥମେ ପ୍ରଥମେ ସେମାନେ ମନୋରଂଜନ ପାଇଁ ଭିଡିଓ ପ୍ରସ୍ତୁତ କରୁଥିଲେ । ତେବେ ୟୁଟ୍ୟୁବରୁ ଭଲ ରୋଜଗାର ହେଉଥିବା ଦେଖି ଅନ୍ୟମାନେ ବି ଆରମ୍ଭ କରିଥିଲେ ଅଭିନୟ କରିବା ।
ସବୁଠାରୁ ଆଶ୍ଚର୍ଯ୍ୟ ଏବଂ ଖୁସିର କଥା ହେଉଛି ସମସ୍ତେ ଆକ୍ଟିଙ୍ଗ କଲେ ବି ଏଠି କେହି କାହାର ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ବରଂ ଜଣେ ଅନ୍ୟ ଜଣଙ୍କୁ ଭ୍ଲାଗ କରିବାରେ ସାହାଯ୍ୟ କରିଥାନ୍ତି । ପ୍ରଥମେ ଏମାନେ ମୋବାଇଲ୍ ଫୋନରେ ଭିଡିଓ ସୁଟ୍ କରି ମୋବାଇଲ୍ରେ ହିଁ ଏଡିଂଟି କରି ୟୁଟ୍ୟୁବରେ ଅପଲୋଡ କରି ସେୟାର କରୁଥିଲେ । ପରେ ଏମାନେ ଏକ ସେକେଣ୍ଡ ହ୍ୟାଣ୍ଡ କମ୍ୟୁଟର ଆଣି ସେଥିରେ ଆରମ୍ଭ କରିଥିଲେ ଏଡିଟିଙ୍ଗ୍ । ଏଥିରେ କ୍ୟାଲିଟି ଏତେ ଭଲ ଆସୁନଥିଲା । ଏମିତିକି ଛୋଟ ଭିଡିଓଟେ ଏଡିଟିଙ୍ଗ୍ କରିବା ପାଇଁ ଲାଗୁଥିଲା ଘଣ୍ଟା ଘଣ୍ଟା ସମୟ । ତେବେ ସବୁଠାରୁ ଏଠାରେ ବଡ ଅସୁବିଧା ଥିଲା ଇଣ୍ଟରନେଟ ସମସ୍ୟା ।
ଏହି ସମସ୍ୟାକୁ ସମାଧାନ ପାଇଁ ସହାୟତାର ହାତ ବଢାଇଥିଲା ଜିଲ୍ଲା ପ୍ରଶାସନ । ଆଉ ଗାଁରେ ତିଆରି ହୋଇଥିଲା ହମର ଫ୍ଲିକ୍ସ ଷ୍ଡୁଡିଓ । ଏଥିରେ ଡ୍ରୋନ ଓ ଡିଏସଆରଏଲ କ୍ୟାମେରା ସହ ଉନ୍ନତମାନର ଅଡିଓ ରେକଡିଂ, ଗ୍ରାଫିକ୍ସ ସଫ୍ଟୱେରର ବ୍ୟବସ୍ଥା କରାଯାଇଛି । ତେବେ ଗାଁ ଲୋକର ଲୋକ ମାନେ ସାଧାରଣତଃ ମନୋରଂଜନଧର୍ମୀ ଓ ମୋଟିଭେସନାଲ ଭିଡିଓ ପ୍ରସ୍ତୁତ କରିଥାନ୍ତି । ତେବେ ବର୍ତ୍ତମାନ ଗାଁରେ ପାଖାପାଖି ମୋଟ ୪୦ଟି ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ ରହିଛି । ଏଥିରୁ ଏଯାଏଁ ୧୨ଟି ମନିଟାଇଜ ହୋଇସାରିଛି । ଯେଉଁଥିରୁ ମୋଟା ଅଙ୍କର ରୋଜଗାର କରୁଛନ୍ତି ଗାଁର ୟୁଟ୍ୟୁବର ।
ଅଧିକ ପଢନ୍ତୁ ;- ଇସ୍ରୋ ଉପରେ ପ୍ରତିଦିନ ଶତାଧିକ ସାଇବର ଆକ୍ରମଣ ହେଉଛି