ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆଇଟି କମ୍ପାନୀ ମ୍ୟାନେଜର ମାନବ ଶର୍ମାଙ୍କ ଆତ୍ମହତ୍ୟା ପରେ କେଉଁଠି ଅଛନ୍ତି ତାଙ୍କ ପତ୍ନୀ ନିକିତା ଶର୍ମା,ଏବେ ବଡ଼ ପ୍ରଶ୍ନ । ଘଟଣା ପରଠାରୁ ନିକିତାଙ୍କ ଫୋନ୍ ସୁଇଚ୍ ଅଫ୍ ଦେଖାଉଥିବାବେଳେ ସେ ରହୁଥିବା ଘରୁ ସେ କେଉଁ ଆଡ଼େ ଚାଲି ଯାଇଥିବା କୁହାଯାଉଛି ।
ମାନବଙ୍କ ଆତ୍ମହତ୍ୟା ପରେ ନିକିତାଙ୍କ ବାପା ଆଗ୍ରା ଅଦାଲତ ଯାଇ ତାଙ୍କ ପାଇଁ ଆଗୁଆ ଜାମିନ ସମ୍ପର୍କରେ ଓକିଲଙ୍କୁ ଭେଟିଥିଲେ । ତେବେ ଘଟଣା ପରଠାରୁ ଉଭୟ ବାପ ଝିଅ ଫେରାର ଅଛନ୍ତି । ଏ ଯାଏ ପୋଲିସ ନିକିତାଙ୍କୁ ନିଜ ହେପାଜତକୁ ନେଇ ନାହିଁ । ଗିରଫଦାରୀକୁ ଟାଳିବାକୁ ନିକିତା ଆତ୍ମ ଗୋପନ କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଆଗ୍ରା ପୋଲିସ ମାନବଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି । ତାଙ୍କ ଫୋନ୍ ଏବଂ ଡାଏରୀକୁ ଜବତ କରିଛି । ୨୮ ଫେବୃୟାରୀରେ ନିକିତା ଜଣେ ସ୍ଥାନୀୟ ପତ୍ରକାରଙ୍କୁ ଡାକି ଭିଡ଼ିଓ ରେକର୍ଡ କରିଥିଲେ । ନିଜର ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ମାନବ ତାଙ୍କୁ ମଦ ପିଇ ମାରପିଟ୍ କରୁଥିଲେ ବୋଲି କହିଥିଲେ ।
ମୁମ୍ବାଇରେ ଦେଶର ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀରେ ଚାକିରି କରୁଥିବା ମାନବ ଶର୍ମା ଗତ ଫେବୃୟାରୀ ୨୪ ତାରିଖରେ ଲାଇଭ୍ ଭିଡ଼ିଓ କରି ବେଶରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିଲେ । ସେ ନିଜ ସ୍ତ୍ରୀ ଉପରେ ମାନସିକ ନିର୍ୟ୍ୟାତନାର ଆରୋପ ଲଗାଇଥିଲେ । ଘଟଣାର ପୂର୍ବଦିନ ଅର୍ଥାତ୍ ୨୩ ତାରିଖରେ ମାନବ ଏବଂ ନିକିତା ମୁମ୍ବାଇରୁ ଆଗ୍ରା ଆସିଥିଲେ । ମାନବ ନିକିତାଙ୍କୁ ତାଙ୍କ ବାପାଙ୍କ ଘରେ ଛାଡ଼ି ଚାଲି ଯାଇଥିଲେ ।
୨୦୨୪, ଜାନୁୟାରୀ ୩୦ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ୨୦୨୫ ଜାନୁୟାରୀରେ ମାନବଙ୍କ ଇନଷ୍ଟାଗ୍ରାମ ଆଇଡିରେ ପ୍ରିୟା ଜୈନ ନାମକ ଜଣେ ଯୁବତୀ ମେସେଜ୍ କରିଥିଲା । ସେ ନିକିତାଙ୍କ ଅତୀତ ବିଷୟରେ କିଛି କହିଥିଲା ।