ପାଟନା: ବିହାର ବିଧାନସଭା ବାହାରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ବିଧାୟକ ହାତରେ ଧରି ଆସିଛନ୍ତି ଲଲିପପ୍, ବେଲୁନ୍ ଏବଂ ଝୁମୁକା । ଯାହାକି ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି । ଆପଣ ଭାବୁଥିବେ ବିଧାୟକ କାହିଁକି ଏପରି କରିଛନ୍ତି । ବିରୋଧୀ ଦଳର ବିଧାୟକ ଏଭଳି ଅଭିନବ ଢଙ୍ଗରେ ସରକାରଙ୍କ ବଜେଟକୁ ବିରୋଧ କରିଛନ୍ତି ।
ବିହାରର ନୀତିଶ ସରକାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣି ସାରିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ ସୋମବାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତକାଲିଠାରୁ ବିରୋଧୀ ଦଳ ଏହି ବଜେଟକୁ ଗ୍ରହଣ କରୁନାହାଁନ୍ତି । ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ବିଧାୟକମାନେ ବଜେଟର ତୀବ୍ର ପ୍ରତିବାଦ କରିଛନ୍ତି । ବଜେଟ୍ ଉପସ୍ଥାପନ ହେବା ପରଠାରୁ ବିରୋଧୀ ଦଳ ଲଗାତାର ବିରୋଧ କରିବାରେ ଲାଗିଛନ୍ତି । ଏହି ପ୍ରତିବାଦ ମଙ୍ଗଳବାର ମଧ୍ୟ ଜାରି ରହିଥିଲା । ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ମୁକେଶ ରୋଶନ ଏକ ଅନନ୍ୟ ଢଙ୍ଗରେ ବଜେଟକୁ ବିରୋଧ କରୁଥିବାର ଦେଖାଯାଇଛି । ଆରଜେଡି ବିଧାୟକ ମୁକେଶ ରୋଶନ ପାଟିରେ ଲଲିପପ୍ ପୁରାଇ, ଆଉ ଗୋଟିଏ ହାତରେ ବେଲୁନ ଏବଂ ଝୁମୁକା ଧରି ବିଧାନସଭାରେ ପହଁଚିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏଭଳି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା ।
ତାଙ୍କର ଏଭଳି ବେଶଭୁଷା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ନୀତିଶ କୁମାରଙ୍କ ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛି । ନିର୍ବାଚନ ବର୍ଷରେ ମଧ୍ୟ, ସେ ଜନସାଧାରଣଙ୍କ କୌଣସି ଆଶା ପୂରଣ କରିପାରି ନ ଥିଲେ । ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ ବଜେଟ୍ ନାମରେ ବିହାରବାସୀଙ୍କୁ ଏକ ଝୁମୁକା ଏବଂ ଏକ ଲଲିପପ୍ ଦେଇଛନ୍ତି ବୋଲି କହିଛନ୍ତି ମୁକେଶ ।