ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ମ୍ୟାଚ ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୪ ରନ କରିଛି। ଅଧିନାୟକ ଷ୍ଟିଭ୍ ସ୍ମିଥ ୭୩ ରନର ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ଆଲେକ୍ସ କେରି ୬୦ ରନ କରିବାରୁ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜିଂ ସ୍କୋର କରି ପାରିଛି। ଫାଇନାଲ୍ରେ ପହଞ୍ଚିବା ପାଇଁ ଭାରତ ସମ୍ମୁଖରେ ୨୬୫ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଜିତିଲେ ଭାରତ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିବ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ନିରାଶ ଜନକ ଥିଲା। ଚାମ୍ପିଅନ୍ସ ଟ୍ରଫିରେ ପ୍ରଥମ ମ୍ୟାଚ୍ ଖେଳୁଥିବା କୁପର କୋନୋଲି ଖାତା ଖୋଲି ପାରି ନ ଥିଲେ। ତାଙ୍କୁ ଶାମି ଆଉଟ୍ କରିତିଲେ। ଟ୍ରେଭିସ ହେଡ୍ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ବଡ ସଟ୍ ଖେଳିଥିଲେ। ହେଡ୍ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ୫୪ ରନ ସ୍କୋରରେ ହେଡ୍ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ବଡ଼ ସଫଳତା ଦେଇଥିଲେ। ହେଡ୍ ୩୩ ବଲ୍ରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। ଏହା ପରେ ହେଡ୍ ଆଉଟ୍ ପରେ ସ୍ମିଥ ଓ ମାର୍ନସ ଲାବୁସେନ ଦଳର ଇନିଂସ ସମ୍ଭାଳିଥିଲେ।
ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ି ଦଳର ସ୍କୋରକୁ ୧୧୦ ରନରେ ପହଞ୍ଚାଇଥିଲେ। ଲାବୁସେନ (୨୯ ରନ) ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଜୋସ୍ ଇଙ୍ଗ୍ଲିଶ(୧୧) ନିରାଶ କରିଥିଲେ। ଏହା ପରେ ସ୍ମିଥ ଓ ଆଲେକ୍ସ କେରି ରନ ଗତି ବଢାଇ ପଞ୍ଚମ ଓ୍ଵିକେଟ୍ରେ ୫୪ ରନ ଯୋଡ଼ି ଦଳର ସ୍କୋରକୁ ୧୯୮ ରନରେ ପହଞ୍ଚାଇଥିଲେ।
କ୍ରିଜରେ ଜମି ଅଧିନାୟକତ୍ଵ ଇନିଂସ ଖେଳୁଥିବା ସ୍ମିଥଙ୍କୁ କ୍ଲିନ ବୋଲ୍ଡ କରି ଶାମି ଭାରତକୁ ବଡ଼ ସଫଳତା ଦେଇଥିଲେ। ସ୍ମିଥ ୯୬ ବଲରୁ ୪ ଚୌକା ଓ ୧ ଛକା ସହାୟତାରେ ୭୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ନିମ୍ନକ୍ରମରେ ଓ୍ଵିକେଟ୍ କିପର ବ୍ୟାଟର ଆଲେକ୍ସ କେରି ଦ୍ରୁତ ବ୍ୟାଟିଂ କରିଥିଲେ। ସେ ୫୭ ବଲ୍ରୁ ୮ ଚୌକା ଓ ୧ ଛକା ସହ ୬୧ ରନ କରିଥିଲେ। ବେନ ଦ୍ଵରାସିସ୍ ୧୯ ରନ କରିଥିଲେ। ଶେଷରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଛି।
ବୋଲିଂରେ ଭାରତ ପକ୍ଷରୁ ସଫଳ ବୋଲର ଭାବେ ଦ୍ରୁତ ବୋଲର ମହମ୍ମଦ ଶାମି ୧୦ ଓଭରରେ ୪୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ରବୀନ୍ଦ୍ର ଜାଡ଼େଜା ୪୦ ରନରେ ୨ଟି ଓ ବରୁଣ ଚକ୍ରବର୍ତ୍ତୀ ୪୯ ରନରେ ୨ଟି ସଫଳତା ମିଳିଛି।