ଦୁବାଇ: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଆସନ୍ତି, କିଛି ନା କିଛି ରେକର୍ଡ ସୃଷ୍ଟି କରନ୍ତି । ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ କୋହଲି ପୁଣି ଏକ ରେକର୍ଡ ଭାଙ୍ଗିଛନ୍ତି । ଭାରତୀୟ ଦଳର ପୂର୍ବତନ କୋଚ୍ ତଥା କ୍ରିକେଟର୍ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଦେଇଛନ୍ତି ।
ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚ୍ରେ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି । ସେ ମ୍ୟାଚ୍ରେ ଜୋଶ ଇଙ୍ଗଲିସ୍ଙ୍କ କ୍ୟାଚ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି । ବିରାଟ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ କ୍ୟାଚ୍ ନେବାରେ ଭାରତରୁ ପ୍ରଥମ ଖେଳାଳି ହୋଇସାରିଛନ୍ତି । ପୂର୍ବରୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ନାଁରେ ଏହି ରେକର୍ଡ ରହିଥିଲା ।
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ କ୍ୟାଚ୍ (ଟେଷ୍ଟ, ଦିନିକିଆ, ଟି-୨୦) ରେକର୍ଡ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ନାମରେ ଅଛି । ସିଏ ମୋଟ ୪୪୦ଟି କ୍ୟାଚ୍ ନେଇଛନ୍ତି । ସେହିପରି ରିକି ପଣ୍ଟିଂ ମୋଟ ୩୬୪ କ୍ୟାଚ୍ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ତଳକୁ ରହିଛନ୍ତି ନ୍ୟୁଜିଲାଣ୍ଡର ରସ୍ ଟେଲର୍, ଯିଏ ୩୫୧ କ୍ୟାଚ୍ ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଜ୍ୟାକ୍ କାଲିସ୍ ୩୩୮ କ୍ୟାଚ୍ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ଏବେ ବିରାଟ କୋହଲି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ।