ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରବିବାର ଦିଲ୍ଲୀରେ ସେ ବିଜେପିର ଜାତୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଛନ୍ତି। ଏହି ସମୟରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ କୁଁୱର ବାସିତ ଅଲୀ ମଧ୍ୟ ଉପସ୍ଥିତ ଥିଲେ।
ଏହି ସାକ୍ଷାତକୁ ନେଇ ଶାମି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅମରୋହାରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ଶାମି କିମ୍ବା ବିଜେପି ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଏହା ପୂର୍ବରୁ ସେ ସେପ୍ଟେମ୍ବରରେ RLD ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଭେଟିଥିଲେ। ସେତେବେଳେ ମଧ୍ୟ ତାଙ୍କ ରାଜନୈତିକ ଯୋଗଦାନକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ RLD ପକ୍ଷରୁ କୁହାଯାଇଥିଲା ଯେ, ଅମରୋହାରେ କ୍ରୀଡ଼ା ସୁବିଧା ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜଣାଇବାକୁ ଶାମି ତାଙ୍କୁ ଭେଟିଥିଲେ।
ଉଲ୍ଲେଖଯୋଗ୍ୟ, ନଭେମ୍ବର ୬ରେ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେବେ ସୀମିତ ଓଭର କ୍ରିକେଟ୍ ଖେଳ ଜାରି ରଖିବେ। ବର୍ତ୍ତମାନ ବିଜେପି ନେତାଙ୍କ ସହ ତାଙ୍କର ଏହି ସାକ୍ଷାତ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ନଜର ରହିଛି।
Also Read: ରୋହିତ ଶର୍ମାଙ୍କ ଡେପୁଟି ହେବାକୁ ମନା କଲେ ବୁମରା ! ଉପଅଧିନାୟକ ପଦ ଅଫର୍କୁ କଲେ ପ୍ରତ୍ୟାଖ୍ୟାନ, ରିପୋର୍ଟରେ ବଡ଼ ଖୁଲାସା