ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ବୋଲିଂ ଗତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ବୁମ୍ରାଙ୍କ ବେଗ ପୂର୍ବ ଭଳି ରହୁନଥିବାରୁ ଏହା ଭାରତ ପାଇଁ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।
ଗାଭାସ୍କରଙ୍କ ମତରେ, ବୁମ୍ରା ଏବେ ୩୦ ବର୍ଷ ଅତିକ୍ରମ କରିଛନ୍ତି। ତେଣୁ ତାଙ୍କ ବୋଲିଂ ସ୍ପିଡ୍ ଆଗକୁ ଆହୁରି ବଢ଼ିବା ଆଶା କରିବା ଠିକ୍ ନୁହେଁ। ତେବେ ୧୩୫ କିମି ବେଗରେ ନିୟମିତ ବୋଲିଂ କରିପାରିଲେ ମଧ୍ୟ ସେ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିବେ।
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବୁମ୍ରାଙ୍କ ବେଗ ପ୍ରାୟ ୧୨୭ରୁ ୧୩୦ କିମି ମଧ୍ୟରେ ରହିଥିଲା। ଏପରିକି ସେ ନିଜର ବୋଲିଂ ରନ୍ଅପ୍ରେ ମଧ୍ୟ ପରିବର୍ତ୍ତନ କରୁଥିବା ଦେଖାଯାଇଥିଲା। ଏହାକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ବଢ଼ିଛି।
ଗାଭାସ୍କର ଆହୁରି କହିଛନ୍ତି, ବୁମ୍ରାଙ୍କ ଉପରେ ଅଧିକ ନିର୍ଭରଶୀଳ ହେବା ଭାରତ ପାଇଁ ଠିକ୍ ନୁହେଁ। ଅନ୍ୟ ବୋଲରମାନେ ମଧ୍ୟ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇବା ଆବଶ୍ୟକ। ଦଳର ଅନ୍ୟ ବୋଲରମାନେ ୱିକେଟ୍ ନେଲେ ବୁମ୍ରାଙ୍କ ଉପରେ ଚାପ କମିବ।
ତେବେ ବୁମ୍ରାଙ୍କ ଫିଟନେସ୍ ଓ ଫର୍ମକୁ ନେଇ ଏହି ଚର୍ଚ୍ଚା ମଧ୍ୟରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କିଭଳି ରଣନୀତି ଆପଣାଉଛି, ତାହା ଉପରେ ଏବେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି।