ଜୟପୁର: ମହାକୁମ୍ଭ ମେଳାରେ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିବା ଆଇଆଇଟି ବାବା ଅର୍ଥାତ ଅଭୟ ସିଂଙ୍କୁ ଜୟପୁର ପୋଲିସ ଅଟକ ରଖିଛି। ଅଭୟ ସିଂଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିବା କୁହାଯାଉଛି। ଏହି ବିଷୟରେ ଆଇଆଇଟି ବାବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ତିନି ଚାରୋଟି ଫେକ୍ ନ୍ୟୁଜ୍ ଚାଲୁଛି। ଏହା ବି ଏକ ମିଥ୍ୟା ଖବର। ପୋଲିସ ଅଧିକାରୀ ମୋତେ ତୁରନ୍ତ ଛାଡ଼ି ଦେଇଥିଲେ।
ଖବର ପ୍ରକାଶିତ ହୋଇଥିଲା ଯେ, ଜୟପୁର ପୋଲିସ ଆଇଆଇଟି ବାବା ଅଭୟ ସିଂଙ୍କୁ ସୋମବାର ନିଜ ହେପାଜତକୁ ନେଇଛି। କଥିତ ଭାବେ ବାବା ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ତାଙ୍କର ବୟାନ ସାମାଜିକ ଗଣମାଧ୍ୟମରେ ବି ଭାଇରାଲ୍ ହୋଇଥିଲା। ଜୟପୁର ପୋଲିସ ତାଙ୍କ ଲୋକେସନ ଟ୍ରେସ କରି ଜୟପୁରର ରିଦ୍ଧି ସିଦ୍ଧି ଅଞ୍ଚଳର ଏକ ହୋଟେଲରୁ ଅଭୟ ସିଂଙ୍କୁ ଗିରଫ କରିଥିଲା। ଆଇଆଇଟି ବାବାଙ୍କ ପାଖରେ ଗଞ୍ଜେଇ ଓ କିଛି ଅନ୍ୟ ନିଶା ଦ୍ରବ୍ୟ ମିଳିଥିବା ସୂଚନା ଦିଆଯାଇଛି।
ହେଲେ ଏହି ଘଟଣା ଉପରେ ଅଭୟ ସିଂ କହିଛନ୍ତି ଯେ, ତୁରନ୍ତ ମୋତେ ଜାମିନ ମିଳିଥିଲା। ବାବାଙ୍କ ବିରୋଧରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଅଭୟ ସିଂ ଆଇଆଇଟି ବମ୍ବେରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୋଲିସ ଅଭୟ ସିଂଙ୍କୁ କିଛି ସମୟ ଅଟକ ରଖିବା ପରେ ଛାଡ଼ି ଦେଇଛି କାରଣ ତାଙ୍କ ନିକଟରେ ଜବତ ଗଞ୍ଜେଇର ପରିମାଣ ଆଇନ ଅନୁସାରେ ସୀମା ଭିତରେ ଥିଲା।
ପୋଲିସରୁ ମୁକ୍ତ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅଭୟ ସିଂ କହିଛନ୍ତି, ଦୁଇରୁ ତିନି ମିଥ୍ୟା ଖବର ଚାଲିଛି। ଆତ୍ମହତ୍ୟା କରିବିର ଖବର ସଂପୂର୍ଣ୍ଣ ମିଥ୍ୟା ଅଟେ। ମୋତେ ପୋଲିସ ଅଟକ ରଖିଥିବା ଖବର ମଧ୍ୟ ମିଛ। ମୋ ନିକଟରୁ କିଛି ଗଞ୍ଜେଇ ମିଳିବାରୁ ପୋଲିସ ମୋତେ ପଚରା ଉଚୁରା କରିବା ପରେ ତୁରନ୍ତ ଛାଡ଼ି ଦେଇଥିଲା।