ନୂଆଦିଲ୍ଲୀ: କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ କରିଥିବା ଟିପ୍ପଣୀ ପରେ ଖୁବ୍ ଟ୍ରୋଲିଂର ଶିକାର ହୋଇଛନ୍ତି । ତାଙ୍କ ଟିପ୍ପଣୀକୁ ସବୁ ମହଲରୁ ବିରୋଧ କରାଯାଉଛି । କିନ୍ତୁ ଶମାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ତୃଣମୂଳ କଂଗ୍ରେସର ସାଂସଦ ସୌଗାତ ରାୟ । ସୌଗାତଙ୍କ କହିବା କଥା ରୋହିତ ଶର୍ମାଙ୍କୁ ଦଳରେ ରହିବା ଉଚିତ୍ ନୁହେଁ ।
ଏଏନଆଇର ରିପୋର୍ଟ ଅନୁଯାୟୀ, ଟିଏମସି ସାଂସଦ ସୌଗାତ ରାୟ କହିଛନ୍ତି, ରୋହିତ ଶର୍ମାଙ୍କ ବିଷୟରେ ଯାହା କୁହାଯାଇଛି ମୁଁ ଏଥିରେ ସଂପୂର୍ଣ୍ଣ ସହମତ । ଶମା ମହମ୍ମଦ କୌଣସି ରଜନୈତିକ ବୟାନ ଦେଇ ନାହାନ୍ତି ବରଂ ସେ ଜଣେ ଦର୍ଶକ ହିସାବରେ ନିଜର କଥା କହିଛନ୍ତି । ଆଉ କେତେ ଦିନ ରୋହିତ ଶର୍ମାଙ୍କୁ ଏମିତି ଦଳରେ କୋହଳ ଦିଆଯିବ । ବିଗତ ଦୁଇ ବର୍ଷରେ ସେ ମାତ୍ର ଥରୁଟିଏ ଶତକ ହାସଲ କରିଛନ୍ତି । ସେ ୨,୫, ୧୦ ଓ ୨୦ ରନରେ ଆଉଟ୍ ହୋଇ ଯାଉଛନ୍ତି ।
ସୌଗାତ ରାୟ କହିଛନ୍ତି, ରୋହିତ ଶର୍ମାଙ୍କୁ ନା ଦଳରେ ସ୍ଥାନ ମିଳିବା ଉଚିତ୍ ନା ତାଙ୍କୁ ଅଧିନାୟକ ପଦରେ ରହିବା ଉଚିତ୍ । କଂଗ୍ରେସ ନେତା ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ଠିକ୍ । କାରଣ ରୋହିତ ନିଜର ଓଜନକୁ ନେଇ କଦାପି ସତେତନ ନାହାନ୍ତି । ଏହି ଲୋକେ କେବଳ ବିଜ୍ଞାପନରେ ମଡେଲ୍ ହୋଇ ଯାଉଛନ୍ତି । ଖେଳରେ ମଡେଲ ହୋଇ ପାରୁ ନାହାନ୍ତି ।
ସୌଗାତ ରାୟ କହିଛନ୍ତି, ଏ ପର୍ଯ୍ୟନ୍ତ ଭାରତୀୟ ଦଳରେ ଅନେକ ନୂଆ ନୂଆ ଖେଳାଳି ଆସିଛନ୍ତି ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଯଦି ଫିଟନେସ୍ ଦେଖାଯିବ ତେବେ ଯଶପ୍ରୀତ ବୁମରା ସବୁଠୁ ଭଲ ଅଧିନାୟକ ହୋଇପାରିବେ । ଏବେ ସେ ଆହତ ଥିବାରୁ ଖେଳୁ ନାହାନ୍ତି । ନୂଆ ଖେଳାଳି ମଧ୍ୟରେ ଶ୍ରେୟସ ଆୟର ଅଧିନାୟକ ହୋଇ ପାରିବେ । କିନ୍ତୁ ଏବେ ଆଉ ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍ ନୁହେଁ ।