ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି । ରଣବୀରଙ୍କୁ ସୁପ୍ରିମକୋର୍ଟ ଗୋଟିଏ ସର୍ତ୍ତରେ ‘ଦି ରଣବୀର ଶୋ’ ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରଣବୀରଙ୍କ ଗିରଫ ଉପରେ ରୋକ ଲଗାଇ ଗୌହାଟୀରେ ଯାଞ୍ଚରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ମାମଲାରେ ରଣବୀର ଆହ୍ଲାବାଦିଆଙ୍କ ‘ଦି ରଣବୀର ଶୋ’ ପୋଡକାଷ୍ଟ୍ ବନ୍ଦ ରହିଥିଲା । ତେବେ ରଣବୀରଙ୍କ ଓକିଲ ତାଙ୍କର ୨୮୦ ଜଣ କର୍ମଚାରୀ ଥିବା ଓ ଏହା ସେମାନଙ୍କ ଜୀବିକା ବୋଲି କହିଥିଲେ ।
ପୂର୍ବରୁ ରଣବୀର କୋର୍ଟଙ୍କୁ ଅନୁରୋଧ କରି କହିଥିଲେ କି, ତାହା ତାଙ୍କର ଆୟର ଏକମାତ୍ର ମାଧ୍ୟମ । ଏଥିପାଇଁ ତାଙ୍କୁ ଶୋ ଅପଲୋଡ କରିବାକୁ ଅନୁମତି ଦିଆଯାଉ । ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଶୋର ପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ରଣବୀରଙ୍କୁ ଲିଖିତ ପ୍ରତିଶୃତି ଦେବାକୁ କୁହାଯାଇଛି, ଯେପରି ସେ ଭବିଷ୍ୟତରେ ତାଙ୍କର କାର୍ଯ୍ୟକ୍ରମରେ ଶିଷ୍ଟାଚାର ବଜାୟ ରଖିବେ, ଯାହାଦ୍ୱାରା ସମସ୍ତ ବର୍ଗର ଲୋକେ ଏହାକୁ ଦେଖିପାରିବେ।
ଏହି ବିବାଦ ଭିତରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ବଡ଼ ଆଦେଶ ଦେଇଛନ୍ତି । ଡିଜିଟାଲ କଣ୍ଟେଣ୍ଟ ପାଇଁ ମାର୍ଗଦର୍ଶିକା ଆଣିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏଥିସହ ସବୋର୍ଚ୍ଚ ଅଦାଳତ କେନ୍ଦ୍ରକୁ ଅନଲାଇନ ସାମଗ୍ରୀଗୁଡିକୁ ରେଗୁଲେଟ କରିବାକୁ ମଧ୍ୟ କହିଛନ୍ତି ।
ବିଅର ବାଇସେପ୍ ନାମରେ ଲୋକପ୍ରିୟ ରଣବୀର ଆଲବାଦିଆ ଗତ ମାସରେ ଷ୍ଟାଣ୍ଡ ଅପ୍ କମେଡିଆନ ସମୟ ରାଇନାଙ୍କ ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋ’ରେ ଅଶାଳୀନ ମନ୍ତବ୍ୟ ବିବାଦ ଘେରକୁ ଆସିଥିଲେ। ଜଣେ ପ୍ରତିଯୋଗୀଙ୍କୁ ସେ ତାଙ୍କର ଅଭିଭାବକଙ୍କ ଯୌନ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଏବଂ ତାଙ୍କର ଘୋର ସମାଲୋଚନା କରାଯାଇଥିଲା।
ବିବାଦ ମଧ୍ୟରେ, ଆଲବାଦିଆ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ “କମେଡି ମୋର ଶକ୍ତି ନୁହେଁ” ଏବଂ “ଏହା ମଜାଦାର ନଥିଲା”। ସେ ସୋସିଆଲ ମିଡିଆରେ ଏକ କ୍ଷମା ପ୍ରାର୍ଥନା କରି ଲେଖିଥିଲେ, “ମୁଁ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ରେ ଯାହା କହିଥିଲି ତାହା କହିବା ଉଚିତ୍ ନଥିଲା। ମୁଁ ଦୁଃଖିତ।”