ଗୁଜୁରାଟ: ଆଜି ‘ବିଶ୍ୱ ବନ୍ୟଜନ୍ତୁ ଦିବସ’ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜୁରାଟର ଗିର୍ ନ୍ୟାସନାଲ ପାର୍କରେ ପହଞ୍ଚିଥିବା ବେଳେ ତାଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି । ସିଂହ ସଫାରୀ କରୁଥିବା ବେଳେ ମୋଦୀଙ୍କ ହାତରେ ଥିଲା କ୍ୟାମେରା । ଆଉ କ୍ୟାମେରା ଧରି ଗୋଟିଏ ପରେ ଗୋଟିଏ ଫଟୋ କ୍ଲିକ୍ କରୁଥିଲେ ପ୍ରଧାନମନ୍ତ୍ରୀ । ସଫାରୀ ବେଳେ ପ୍ରଧାନମନ୍ତ୍ରୀ ଏକ ଖୋଲା ଜିପରେ ଜଙ୍ଗଲ ଭିତରେ ଯାତ୍ରା କରୁଥିଲେ ।
ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପୋଷ୍ଟ ଜରିଆରେ ସେ ଜୈବ ବିବଧତାକୁ ଗୁରୁତ୍ବ ଦେଇଛନ୍ତି। ଏଥିସହିତ ଏହାକୁ ସୁରକ୍ଷା ଦେବା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି। ଫଟୋରେ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସେ ଉପଭୋଗ କରୁଥିବା ଜଣାପଡୁଛି।
ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ସାସନଙ୍କୁ ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ସ୍ଥାନ ଦେଇଥିଲେ। ଯାହା ପାଇଁ ଆଜି ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ସିଂହ ଦେଖିବାକୁ ଏହି ଜାତୀୟ ଉଦ୍ୟାନକୁ ଆସୁଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ହେବା ପରେ ସାସନ ଗିର୍ ନ୍ୟାସନାଲ ପାର୍କରେ ସିଂହ ସଫାରୀରେ ଯିବା ଏହା ହେଉଛି ମୋଦୀଙ୍କ ପ୍ରଥମ କାର୍ଯ୍ୟକ୍ରମ ।