କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ର ପରବର୍ତ୍ତୀ ସଂସ୍କରଣକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ସମସ୍ତ ଫ୍ରାଞ୍ଚାଇଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହା ମଧ୍ୟରେ ଆଇପିଏଲ୍ ର ସବୁଠୁ ସଫଳ ଦଳ କୋଲକାତା ନାଇଟ୍ ରାଇଡର୍ସ ନିଜର ନୂତନ ଅଧିନାୟକ ନାଁ ଘୋଷଣା କରିଛି। ୩ ଥର ଚାମ୍ପିଅନ କେକେଆର ଆଗାମୀ ସିଜିନ ପାଇଁ ଭାରତୀୟ ଜାତୀୟ କ୍ରିକେଟ୍ ଦଳରୁ ବାହାରେ ଥିବା ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ନିଯୁକ୍ତ କରିଛି। ସେହିପରି ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି।
କେକେଆର ୨୩.୭୫ କୋଟିରେ କିଣିଥିବା ଭେଙ୍କଟେଶ ଆୟରଙ୍କୁ ଦଳର ଉପ ଅଧିନାୟକ ନିଯୁକ୍ତ କରିଛି। ନୂତନ ଅଧିନାୟକଙ୍କ ନାଁ ଘୋଷଣା କରି କେକେଆରର ସିଇଓ ଭେଙ୍କି ମହୀଶୂର କହିଛନ୍ତି, ଆମେ ଆଜିଙ୍କ୍ୟ ରାହାଣେଙ୍କ ପରି ଅଭିଜ୍ଞ ଖେଳାଳି ପାଇ ଖୁସି। ରାହାଣେଙ୍କ ନେତୃତ୍ଵରେ ଅନୁଭବ ଓ ପରିପକତ୍ଵା ଦଳ ପାଇଁ ବେଶ ସହାୟକ ହେବ। ଭେଙ୍କଟେଶ ଆୟର କେକେଆର ପାଇଁ ଏକ ଫ୍ରାଞ୍ଚାଇଜ ଖେଳାଳି ରହି ଆସିଛନ୍ତି ଏବଂ ତାଙ୍କ ନିକଟରେ ନେତୃତ୍ଵ ନେବାାର ଗୁଣ ଭରି ରହିଛି। ଆମେ ଆଶାବାଦୀ ଯେ, ଦଳ ନିଜର ଟ୍ରଫି ବଜାୟ ରଖିବାରେ ସଫଳ ହେବ।
କେକେଆରର ଅଧିନାୟକ ନିଯୁକ୍ତ ହେବା ପରେ ଆଜିଙ୍କ୍ୟ ରାହାଣେ କହିଛନ୍ତି, ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଫ୍ରାଞ୍ଚାଇଜ ମଧ୍ୟରୁ ଗୋଟିଏ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ଵ କରିବା ସମ୍ମାନର କଥା। ଆମ ନିକଟରେ ଏକ ଦମଦାର ଏବଂ ସନ୍ତୁଳିତ ଖେଳାଳିଙ୍କ ଦଳ ରହିଛି। ମୁଁ ସମସ୍ତଙ୍କ ସହ କାମ କରିବା ଓ ନିଜର ଟାଇଟଲ୍ ବଜାୟ କରିବା ପାଇଁ ସବୁ ଚ୍ୟାଲେଞ୍ଜ ନେବାକୁ ପ୍ରସ୍ତୁତ।
ସୂଚନାଯୋଗ୍ୟ, କୋଲକାତା ଆଇପିଏଲ୍ ୨୦୨୪ର ଚାମ୍ପିଅନ। ଦଳ ଶ୍ରେୟସ ଆୟରଙ୍କ ନେତୃତ୍ଵରେ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ତୃତୀୟ ଥର ଟାଇଟଲ୍ ଜିତିଥିଲା। ମାତ୍ର ଆଇପିଏଲ୍ ୨୦୨୫ର ନିଲାମ ପୂର୍ବରୁ କେକେଆର ନିଜର ଚାମ୍ପିଅନ ଅଧିନାୟକ ଶ୍ରେୟସ ଆୟରଙ୍କୁ ଦଳରୁ ରିଲିଜ୍ କରିଥିଲା। ଫ୍ରାଞ୍ଚାଇଜର ଏହି ନିଷ୍ପତ୍ତି ସଭିଙ୍କୁ ଚକିତ କରିଥିଲା। ଏହା ପରଠୁ ଦଳ ନୂତନ ଅଧିନାୟକ ସନ୍ଧାନରେ ରହିଥିଲା।