ଦୁବାଇ: ଭାରତ ନ୍ୟୁଜିଲାଣ୍ଡକୁ ଦୁବାଇରେ ରବିବାର ୪୪ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୪୯ ରନ୍ କରିଥିଲା। ଜବାବରେ ମିଚେଲ ସାଣ୍ଟନରଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ଦଳ ୨୦୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। କିୱି ଇନିଂସ ଆରମ୍ଭରୁ କେନ୍ ୱିଲିୟମସନ୍ ଭାରତ ଓ ବିଜୟ ମଧ୍ୟରେ ଦୃଢ଼ ଭାବରେ ଜଡ଼ିତ ଥିଲେ। ତେବେ ଅକ୍ଷର ପଟେଲ ତାଙ୍କ ଶେଷ ବଲରେ କେନ୍ ୱିଲିୟମସନଙ୍କୁ ଆଉଟ୍ କରିଥିଲେ। ୱିକେଟ୍ ରକ୍ଷକ କେଏଲ୍ ରାହୁଲ ଅକ୍ଷର ପଟେଲଙ୍କ ବୋଲିଂରେ କେନ୍ ୱିଲିୟମସନ୍ଙ୍କୁ ଷ୍ଟମ୍ପ୍ କରିଥିଲେ। କେନ୍ ୱିଲିୟମସନ୍ ୮୧ ରନ୍ର ଭଲ ଇନିଂସ୍ ଖେଳିଥିଲେ।
ଅକ୍ଷର ପଟେଲ କେନ୍ ୱିଲିୟମସନଙ୍କୁ ଆଉଟ୍ କରିବା ପରେ ଏକ ସ୍ମରଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅକ୍ଷର ପଟେଲଙ୍କ ପାଦ ଛୁଇଁ ବିରାଟ କୋହଲି ତାଙ୍କୁ ୱିକେଟ୍ ନେବା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେପଟେ ବିରାଟ କୋହଲି ଓ ଅକ୍ଷର ପଟେଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲଗାତାର କମେଣ୍ଟ କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୯ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୭୯ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍ର ଇନିଂସ ଖେଳିଥିବା ବେଳେ ଅଲରାଉଣ୍ଡର ଅକ୍ଷର ପଟେଲ ୪୨ ରନ୍ର ଯୋଗଦାନ ଦେଇଥିଲେ।
ଜବାବରେ ନ୍ୟୁଜିଲାଣ୍ଡର ଇନିଂସ ୪୫.୩ ଓଭରରେ ୨୦୫ ରନ୍ରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୪୪ ରନ୍ରେ ମ୍ୟାଚ୍ ଜିତିଥିଲା। ଭାରତ ପକ୍ଷରୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୧୦ ଓଭରରେ ୪୨ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ ୨ଟି ସଫଳତା ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଅଧିକ ପଢ଼ନ୍ତୁ: ଶେଷ ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ