ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୨୪୯ ରନ କରି ପାରିଛି। ମ୍ୟାଟ୍ ହେନରୀ ଶାଣିତ ବୋଲିଂ କରି ଭାରତକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି। ଭାରତ ପକ୍ଷରୁ ଶ୍ରେୟସ ଆୟର ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ ଓ ଅକ୍ଷର ପଟେଲ୍ ୪୨ ରନ କରିଛନ୍ତି ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି। ଏହି ମ୍ୟାଚ୍ ଜିତିବା ଦଳ ପଏଣ୍ଟ ତାଲିକର ଶୀର୍ଷରେ ରହିବ। ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମିରେ ପହଞ୍ଚି ସାରିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୩୦ ରନରେ ପ୍ରଥମ ୩ ବ୍ୟାଟରଙ୍କୁ ହରାଇ ମୁସ୍କିଲରେ ପଡିଥିଲା ଭାରତ। ୧୫ ରନ ସ୍କୋରରେ ଶୁଭମନ ଗିଲ୍(୨ ରନ) ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା ପୁଣି ୧୫ ରନ କରି ନିରାଶ କରିଥିଲେ। ବିରାଟ କୋହଲି(୧୧) କିଓ୍ଵି ଫିଲଡରଙ୍କ ଚମତ୍କାର ଫିଲ୍ଡିଂ ଦ୍ଵାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଭାରତର ଇନିଂସକୁ ଶ୍ରେୟସ ଆୟର ଓ ଅକ୍ଷର ପଟେଲ୍ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୯୮ ରନ ଯୋଡ଼ିଥିଲେ। ଅକ୍ଷର ପଟେଲ୍ ୬୧ ବଲରୁ ୩ ଚୌକା ଓ ୧ ଛକା ଜରିଆରେ ୪୨ ରନ କରିଥିଲେ।
ଏହା ପରେ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରି ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତାଙ୍କ ପରେ କେଏଲ ରାହୁଲ ୨୩ ରନ କରି ଆଉଟ୍ ହୋଇଥିଲେ। ରବୀନ୍ଦ୍ରା ଜାଡ଼େଜା ୧୬ ରନ କରି ପାଭିଲିୟନ ଫେରିଥିଲେ। ନିମ୍ନ କ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ୪୫ ରନର ଇନିଂସ ଖେଳିବାରୁ ଭାରତ ୨୪୯ ରନ କରି ପାରିଛି।
ବୋଲିଂରେ ମାଟ୍ ମ୍ୟାଟ୍ ହେନରୀ ଶାଣିତ ବୋଲିଂ କରି ୮ ଓଭରରେ ୪୨ ରନ ଦେଇ ୫ ସଫଳା ହାସଲ କରିଛନ୍ତି। କାଇଲ ଜେମିସନ, ଓ୍ଵିଲିୟମ ଓରୁରକି , ମିଚେଲ୍ ସାଣ୍ଟନର ଓ ରଚିନ ରବୀନ୍ଦ୍ର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।