ଭୁବନେଶ୍ୱର: କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଖୁଵ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବ ସରକାର କାମ କରୁ ନଥିଲେ । ଆମ ସରକାର ଗଠନ କରୁଥିବା ଟାସ୍କଫୋର୍ସ କାମ କରୁଛି । ମେକ୍ ଇନ୍ ଓଡ଼ିଶା ସମୀକ୍ଷା ପରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।
ମନ୍ତ୍ରୀ କହିଛନ୍ତି ମେକ ଇନ ଓଡ଼ିଶାରେ ଆସିଥିବା ପୁଞ୍ଜି ନିବେଶକୁ ନେଇ ଶିଳ୍ପ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପକୁ ଗ୍ରାଉଣ୍ଡିଂ କରିବାକୁ ସେକ୍ଟର ଅନୁଯାୟୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ଉପରେ ନଜର ରଖିବ ଶିଳ୍ପ ବିଭାଗର ସ୍ୱତନ୍ତ୍ର ଟିମ୍ । ମେକ୍ ଇନ୍ ଓଡ଼ିଶାରେ ୧୪୫ ଏମଓୟୁ ହୋଇଥିଲା । ତାକୁ ଗ୍ରାଉଣ୍ଡିଂରେ କେମିତି ଅସୁବିଧା ନ ହେବ ଏବଂ ନିବେଶକ ଓ ସରକାରଙ୍କ ମଧ୍ୟରେ ଦୂରତା ନ ରହୁ ସେଥିପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଧିକରୁ ଅଧିକ ନିବେଶଗୁଡ଼ିକୁ ଶୀଘ୍ର ଗ୍ରାଉଣ୍ଡିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସ୍ୱତନ୍ତ୍ର ନଜର ରଖିବାକୁ ସେକ୍ଟର ଅନୁଯାୟୀ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । କନକ୍ଲେଭ କରିଦେଲେ ପରବର୍ତ୍ତୀ ସମୟରେ ଅସୁବିଧା ନ ହେବ ସେଥିପାଇଁ ନଜର ରଖାଯାଇଛି । ପୁଞ୍ଜିପତିମାନଙ୍କୁ ସୁହାଇଲା ଭଳି ଆମେ ଜମି ଯୋଗାଇ ଦିଆଯାଉଛି । ଜମି ଅଧ୍ରଗ୍ରହଣ ପାଇଁ ଇଡକୋ ମଧ୍ୟ କାମ କରୁଛି ।
ସେହିପରି କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପ ମନ୍ତ୍ରୀ । ସେ କହିଛନ୍ତି ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବ ନିଜେ ଅଧ୍ୟକ୍ଷତା କରୁଛନ୍ତି । ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପୂର୍ବ ସରକାର କେନ୍ଦୁଝରବାସୀଙ୍କୁ ଠକିଥିଲେ । କିନ୍ତୁ ଆମ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦୁଝରରେ ଖୁବ ଶୀଘ୍ର ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯିବ ।