ଭୁବନେଶ୍ୱର : ମାର୍ଚ୍ଚରୁ ଡରେଇଲାଣି ଖରା। ଏବେ ଠାରୁ ଯଦି ଏତେ ଆଗକୁ ଆହୁରି ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଦିନ ୧୦ଟାରୁ ଟାଇଁ ଟାଇଁ ଖରାରେ ଦେହ ଜଳିଯାଉଛି। ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଖରାର କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ଆହୁରି ତାତିବ ।
ପାଣିପାଗ ସୂଚନା ଅନୁଯାୟୀ ରବିବାର ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା ୩୮ ଡିଗ୍ରୀ ସେଲ୍ସିୟସ ଉପରେ ରହିଥିଲା । ଏମିତିକି ରାଜ୍ଯର ୧୦ ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ରବିବାର ବୌଦ୍ଧର ଦିନ ତାପମାତ୍ରା ସର୍ବାଧିକ ୩୮.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଶନିବାର ତାପମାତ୍ରା ୩୭ ଡିଗ୍ରୀ ଥିଲା । ଦିନକରେ ଏହା ପାଖାପାଖି ଦେଢ଼ ଡିଗ୍ରୀ ବଢ଼ିଛି । ବଲାଙ୍ଗିରରେ ୩୮.୧ଡିଗ୍ରୀ ରହିଛି । ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬, ଭଦ୍ରକ ଓ ଝାରସୁଗୁଡ଼ାରେ ୩୭.୫, ଯାଜପୁରରେ ୩୭.୨, ବାରିପଦା, ସୋନପୁର ଓ ଭବାନୀପାଟଣାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି ।
ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି। ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ସେଠାରେ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆସନ୍ତା ଦୁଇ ସପ୍ତାହ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।