ଭୁବନେଶ୍ୱର: ପୁଣି ଥରେ ରାଜ୍ୟବାସୀଙ୍କ ପାଇଁ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଲୋକଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ସମାଧାନ କରିଛନ୍ତି ଲୋକଙ୍କ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରି ୪ ଜଣଙ୍କୁ ତତ୍କାଳ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦିନେ ଦୁଇଦିନ ଭିତରେ ‘ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି’ରୁ ସେମାନଙ୍କୁ ଟଙ୍କା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଛାତରୁ ପଡି ଗୁରୁତର ଆହତ ନିମାପଡ଼ାର ହେମନ୍ତ ସାହୁ ଏବଂ ମେରୁଦଣ୍ଡ ଜନିତ ସମସ୍ୟା ଭୋଗ କରୁଥିବା ନିରାକାରପୁରର ବିଚିତ୍ର ପାଇକରାୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିଜର ଅସୁବିଧା ସମ୍ପର୍କରେ ଜଣାଇଥିଲେ । ତୁରନ୍ତ ପଦକ୍ଷେପ ସ୍ୱରୁପ ମୁଖ୍ୟମନ୍ତ୍ରୀ ଉଭୟଙ୍କ ପାଇଁ "ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି"ରୁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ଅନୁମୋଦନ କରିଛନ୍ତି । ୮୪ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ବଳକା ଅଭିଯୋଗ ସମାଧାନ ପ୍ରକ୍ରିୟାରେ ରହିଛି । ଯେଉଁ ଅପରାଧିକ ମାମଲା ଆସୁଛି, ତାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଯେଉଁମାନେ ଦୋଷୀ ସେମାନଙ୍କୁ ଜେଲକୁ ପଠାଯାଉଛି । କୋର୍ଟ ତାଙ୍କର ଦଣ୍ଡ ବିଧାନ କରିବେ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ ବିଧାନସଭା ବନ୍ଦ କରି ପଳାଇବା ସରକାର ନୁହେଁ । ଆମ ସରକାର ହେଉଛି ଲୋକଙ୍କ ସରକାର । ବିରୋଧୀଙ୍କ କାମ ଅଭିଯୋଗ ଆଣିବା ଏବଂ ଆମେ ସବୁବେଳେ ସେମାନଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।