ଭୁବନେଶ୍ୱର: ଓଡ଼ିଶା ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗର ସରକାରଙ୍କୁ ସାବଧାନ କରାଇଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପଶ୍ଚିମବଙ୍ଗ ଅସଭ୍ୟ ସରକାର । ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା । ବାଲେଶ୍ଵର ଜିଲ୍ଲା ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ଅନୁପ୍ରବେଶ ନେଇ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।
ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରି କହିଛନ୍ତି, ଓଡ଼ିଶାରେ ସୀମାକୁ ନେଇ ଛୋଟ ବଡ଼ ସମସ୍ୟା ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ଅଛି । ଏ ପ୍ରସଙ୍କ ଦୃଷ୍ଟିକୁ ଆସିଲା ପରେ ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିଛି । ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ସହ ବିଶେଷ ସମସ୍ୟା ନାହିଁ । କିନ୍ତୁ ଚକିତ ହେଲି ଯେ ଓଡ଼ିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ । ରାଜସ୍ଵ ବିଭାଗ ପଶ୍ଚିମ ବଙ୍ଗ ସରକାରଙ୍କ ସହିତ ସମ୍ପର୍କରେ ଅଛି। ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଭିତରେ ସୀମା ଚିହ୍ନଟ ହେବ । ଆଲୋଚନା ଆରମ୍ଭ ହେଲାଣି । ପଶ୍ଚିମବଙ୍ଗ ରାଜସ୍ୱ ଅଧିକାରୀ ସହ ଓଡ଼ିଶାର ରାଜସ୍ୱ ଅଧିକାରୀ ଫିଲଡ ଭିଜିଟ୍ କରି ସୀମା ଚିହ୍ନଟ ହେବ । ଏ ସରକାର ବିନା ବିବାଦରେ ସୀମା ଚିହ୍ନଟ ସମସ୍ୟାର ସମାଧାନ କରିବ । ତେବେ ମନ୍ତ୍ରୀ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମନ୍ତବ୍ୟ ଦେଇଛନ୍ତି । ଓଡ଼ିଶା ଗଠନକୁ ଶହେ ପୂରଣ କରିବାକୁ ଯାଉଛି କିନ୍ତୁ ଏବେ ଯାଏ କୌଣସି ସରକାର ପଶ୍ଚିମବଙ୍ଗ ସରକାର ସହିତ ଆଲୋଚନା କରି ସୀମା ଚିହ୍ନଟ କରି ନାହାଁନ୍ତି । ତେଣୁ ଏହାକୁ ମୋହନ ସରକାର କରିବେ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯଦି ଅସଭ୍ୟ ସରକାର ଚିହ୍ନଟ କରାଯାଏ ତେବେ ପଶ୍ଚିମବଙ୍ଗ ସରକାର ପ୍ରଥମରେ ରହିବ । ଦେଶରେ ସମସ୍ୟା ସୃଷ୍ଟି କରୁଛି ପଶ୍ଚିମବଙ୍ଗ । ଆଳୁ ସମସ୍ୟା ସୃଷ୍ଟି କଲେ, ଅନୁପ୍ରବେଶ କରାଉଛି ପଶ୍ଚିମବଙ୍ଗ ସରକାର । ନାଗରିକତା ଆଇନ ଏବଂ ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ ପଶ୍ଚିମବଙ୍ଗ ସରକାର । ଏହା ଆମର ଦୁର୍ଭାଗ୍ୟ । ଗଣତନ୍ତ୍ରରେ ଲୋକେ ଭୋଟ୍ ଦିଅନ୍ତି । କିନ୍ତୁ ପଶ୍ଚିମବଙ୍ଗ ସରକାର ମୂଳତଃ ଗରିବ ବିରୋଧୀ ଏବଂ ଭାରତ ବିରୋଧୀ ।
ପଶ୍ଚିମବଙ୍ଗ ସରକାର ବିବାଦ ତିଆରି କରିବାର କାମ କରୁଛି । ଝଗଡ଼ା ତିଆରି କରିବାର କାମ କରୁଛି ପଶ୍ଚିମବଙ୍ଗ । ସେମାନଙ୍କର ପାଠ ପଢ଼ିବାର ଆବଶ୍ୟକତା ଅଛି । ଓଡ଼ିଶା ସରକାର ତାଙ୍କୁ ପାଠ ପଢ଼ାଇବ ରାସ୍ତା ଦେଖାଇବ । ଜବରଦସ୍ତିକୁ କିଏ ଖାତିର କରୁଛି । ପଶ୍ଚିମବଙ୍ଗ ସରକାର ଖୁଣ୍ଟ ପୋତିଲେ ଓଡ଼ିଶା ଲୋକ ଉପାଡ଼ି ଫିଙ୍ଗିବେ । ରାଜସ୍ଵ ବିଭାଗକୁ ଲୋକ ସହଯୋଗ କରୁଛନ୍ତି । ଓଡ଼ିଶା ସାରା ଦେଶକୁ ରାସ୍ତା ଦେଖାଉଛି, ପଶ୍ଚିମବଙ୍ଗ ସରକାରକୁ ରାସ୍ତା ଦେଖାଇବାକୁ ବେଶି ସମୟ ଲାଗିବନି।