ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ହତ୍ୟା ମାମଲାରେ ସୋମବାର କ୍ରାଇମବ୍ରାଞ୍ଚରେ ହାଜର ହେବେନି ପୁଅ ବିଶାଳ ଦାସ ଏବଂ ଝିଅ ଦୀପାଳି ଦାସ । ଏ ନେଇ ବିଶାଳ ଦାସ ସୂଚନା ଦେଇଛନ୍ତି । କେଉଁ ତାରିଖରେ ଉପସ୍ଥିତ ହେବେ ସେ ନେଇ ଆଜି ସନ୍ଧ୍ୟା ସୁଦ୍ଧା କ୍ରାଇମ୍ବ୍ରାଞ୍ଚକୁ ଚିଠି ଜରିଆରେ ଜଣାଇବେ । ଉକ୍ତ ଚିଠିରେ କ୍ରାଇମବ୍ରାଞ୍ଚର ଟିମ୍ ତାଙ୍କ ବାସ ଭବନକୁ ଆସି ବୟାନ ରେକର୍ଡ କରିବାକୁ ଅନୁରୋଧ କରାଯିବ। କୌଣସି ବ୍ୟସ୍ତତା କାରଣରୁ ଆଜି ହାଜର ନହୋଇ ସମୟ ମଗା ଯାଇଥିବା ନେଇ ବିଶାଳ ଦାସ ସୂଚନା ଦେଇଛନ୍ତି।
ନବ ଦାସ ହତ୍ୟା ମାମଲାରେ ବିଶାଳ ଏବଂ ଦୀପାଳିଙ୍କୁ କ୍ରାଇମବ୍ରାଞ୍ଚରେ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହାଜର ହେବାକୁ ନୋଟିସ୍ ଜାରି ହୋଇଥିଲା । ଉଭୟ ହାଜର ହୋଇ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ କୁହାଯାଇଥିଲା । ଏହି ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନଥିବା କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି । ଫାଇନାଲ ଚାର୍ଜସିଟ୍ ଏବେ ସୁଦ୍ଧା ଦାଖଲ କରାଯାଇନାହିଁ । ତେବେ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି ।