ଉତ୍ତରପ୍ରଦେଶ: ବାହାଘର ଚାଲିଥିଲା, ବରଯାତ୍ରୀକୁ ନେଇ ବର ପହଞ୍ଚିଥିଲା ଶଶୁରଘରେ । କିଛି ସମୟରେ ପଡ଼ିଥାନ୍ତା ହାତଗଣ୍ଠି । ତା ପୂର୍ବରୁ ବରଣମାଳା ପାଇଁ ଉଭୟ ବରକନ୍ୟାକୁ ଡକାଗଲା ମଞ୍ଚକୁ । ହେଲେ ମଞ୍ଚରେ ବରକୁ ବରଣମାଳା ପିନ୍ଧାଇବା ପରିବର୍ତ୍ତେ ଜୋର୍ ଜୋର୍ କରି ଚାପୁଡ଼ା ଉପରେ ଚାପୁଡ଼ା ମାରିଚାଲିଲେ କନ୍ୟା । ନିମିଷକ ମଧ୍ୟରେ ବାହାଘର ମଣ୍ଡପ ପାଲଟିଗଲା ରଣକ୍ଷେତ୍ର । ଉତ୍ତରପ୍ରଦେଶ ରାମପୁରରୁ ଆସିଛି ଏଭଳି ଏକ ଘଟଣା ।
ଘଟଣା ମୁତାବିକ ଶୁକ୍ରବାର ଦିନ ଧୁନ୍ଧାୟି ଗାଁର ବରଯାତ୍ରୀ ବିବାହ ପାଇଁ ରାମପୁରର ଆଜିମନଗର ଥାନା ଅଞ୍ଚଳର ଏକ ବିବାହ ମଣ୍ଡପକୁ ଆସିଥିଲେ। ରାତି ପ୍ରାୟ ୧୧ଟାରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା ଓ ଶନିବାର ଭୋର ୪ଟାରେ ବର ଏବଂ କନ୍ୟାଙ୍କୁ ବରମାଳା ପାଇଁ ଡକାଯାଇଥିଲା। ହେଲେ ଏହି ସମୟରେ ବର ଏବଂ ତାଙ୍କ ପରିବାର ଲୋକ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ଯେପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କା ନ ମିଳିବ ସେ ପର୍ଯ୍ୟନ୍ତ ବରମାଳା ହେବ ନାହିଁ ବୋଲି ମନା କରିଥିଲା ବର । କୌଣସି ପ୍ରକାରେ ଲୋକମାନେ ମାମଲାକୁ ଶାନ୍ତ କରିଥିଲେ । ପରେ ବର ଏବଂ କନ୍ୟାକୁ ମଞ୍ଚକୁ ଡକାଯାଇଥିଲା । କିନ୍ତୁ ପୂର୍ବରୁ ହିଁ ବର ମାଗୁଥିବା ଯୌତୁକ ଟଙ୍କା ବିଷୟରେ ଜାଣି ସାରିଥିଲା କନ୍ୟା ଏବଂ ମଞ୍ଚ ଉପରେ ହିଁ ବରକୁ ଶକ୍ତ ଚାପୁଡ଼ା ମାରିଥିଲେ କନ୍ୟା ।
ସଙ୍ଗେ ସଙ୍ଗେ ଘଟଣାକୁ ନେଇ ହୋଇଥିଲା ମହାଭାରତ । ଲୋକେ ଚେୟାର ଟେବୁଲ ଫୋପାଡ଼ି ଗଣ୍ଡଗୋଳ କରିଥିଲେ । ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୋଲିସ ଆସିବାର ଦେଖି ବରପକ୍ଷ ଲୋକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିନ୍ତୁ ପୋଲିସ ବରର ବାପାଙ୍କୁ ଅଟକ ରଖି ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।