ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ସର୍ବଦା ଅନ୍ତର୍ଜାତୀୟ ମଞ୍ଚରେ ଉଠାଇ ଆସିଛି । ମିଳିତ ଜାତିସଂଘ ମଞ୍ଚରେ ପାକିସ୍ତାନ ପ୍ରତି ଥର ଏହି ପ୍ରସଙ୍ଗକୁ ଉଠାଏ ଏବଂ ତୁର୍କୀ, ଇରାନ, ମାଲେସିଆ ପରି ଦେଶ ମଧ୍ୟ ଏହାର ଚର୍ଚ୍ଚା କରିଥାନ୍ତି । ଏବେ ଭାରତ ପାକିସ୍ତାନର ଏହି ରଣନୀତିକୁ ଭାଙ୍ଗିବାକୁ ଅଣ୍ଟା ଭିଡିଛି । ପ୍ରାୟ ଏକ ସପ୍ତାହ ଧରି ଇରାନର ସୁପ୍ରିମ କାଉନସିଲ ଫର କଲଚର ରିଭୋଲ୍ୟୁସନର ସେକ୍ରେଟାରୀ ଅବଦୁଲ ହୁସେନ ଖୋସରୋ ପାନା ଭାରତରେ ଅବସ୍ଥାପନ କରିଛନ୍ତି । ଏହି ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟରେ ଭାରତ ଚେଷ୍ଟା ଚଳାଇଛି ଯେ, କାଶ୍ମୀର ପ୍ରସଙ୍ଗରେ ଇରାନର ରାୟ ବଦଳି ଯାଉ।
ଅବଦୁଲ ହୁସେନ ଖୋସରେଙ୍କୁ ଇରାନର ଶୀର୍ଷ ନେତା ଅୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ବୋଲି କୁହାଯାଏ । ଖାମେନେଇ ଗତ ବର୍ଷ ଭାରତକୁ ଅସହଜ କରୁଥିବା ବୟାନ ଦେଇ କହିଥିଲେ ଯେ, କାଶ୍ମୀରରେ ମୁସଲିମଙ୍କ ଅବସ୍ଥା ଭଲ ନୁହେଁ । ଏବେ ତାଙ୍କ ଘନିଷ୍ଠ ନେତା ଭାରତରେ ଗୋଟିଏ ସପ୍ତାହ ରହିବା ଭାରତର ବଡ ରଣନୀତିର ସଙ୍କେତ ଦେଉଛି । ସୂତ୍ର ମୁତାବକ ଅବଦୁଲ ହୁସେନଙ୍କ ମାଧ୍ୟମରେ ଭାରତ ଇରାନର ଶୀର୍ଷ ନେତା ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରକୁ ନେଇ ବଡ ସନ୍ଦେଶ ଦେବାକୁ ଚାହୁଁଛି । ଇରାନର ସୁପ୍ରିମ ଲିଡରଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପଠାଇବାର ସବୁଠୁ ଭଲ ମାଧ୍ୟମ ଅବଦୁଲ ହୁସେନ ଖୋସରେ ଥିଲେ । ତେଣୁ ତାଙ୍କର ଭାରତରେ ଏକ ସପ୍ତାହ ରହଣୀ ବହୁତ ଗୁରୁତ୍ୱ ବହନ କରୁଛି । ଯଦି ଇରାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିରପେକ୍ଷ ରହେ ଏବଂ ପାକିସ୍ତାନ ଆଡକୁ ଢଳିବା କମ କରେ ତେବେ ଏହା ଭାରତ ପାଇଁ ବଡ ସଫଳତା ହେବ ।
ଗତ ବର୍ଷ ଖାମେନେଇ କାଶ୍ମୀରରେ ମୁସଲମାନଙ୍କ ଅବସ୍ଥା ଉପରେ ଚିନ୍ତା ପ୍ରକାଶ କରିଥିଲେ । ଏହା ପୂର୍ବରୁ ତୁର୍କୀ ଓ ମାଲେସିଆ ଅନେକ ଥର ମିଳିତ ଜାତିସଂଘ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇ ଆସିଥିଲେ । କିନ୍ତୁ ଏବେ ଇରାନର ଆବଭାବରେ ପରିବର୍ତ୍ତନ ଆସୁଥିବାର ସଙ୍କେତ ମିଳୁଛି।