ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ ପର୍ଯ୍ୟାୟର ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଦୁଇ ଦଳ ପୂର୍ବରୁ ହିଁ ସେମି ଫାଇନାଲରେ ପହଞ୍ଚି ସାରିଛନ୍ତି । ମାତ୍ର ଆଜିର ମ୍ୟାଚ୍ ସ୍ଥିର କରିବ ଯେ, ଗ୍ରୁପ ଏରେ ଶୀର୍ଷରେ କିଏ ରହିବ । ଯଦି ଭାରତୀୟ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହେ ତେବେ ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଯଦି ଟେବୁଲରେ ଶୀର୍ଷରେ ରହେ ତେବେ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।
ଗୋଟିଏ ପଟେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେକୁ ନେଇ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଅର୍ଶଦୀପ ସିଂ ପ୍ରଥମ ଦୁଇଟି ମ୍ୟାଚରେ ବେଞ୍ଚରେ ବସିଛନ୍ତି । କିନ୍ତୁ ଆଜିର ମ୍ୟାଚରେ ଅର୍ଶଦୀପଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦ୍ରୁତ ବୋଲରର ଭୂମିକା ନିର୍ବାହ କରିବେ । କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ । ଅନ୍ୟଥା ଭାରତୀୟ ଦଳରେ ବିଶେଷ ପରିବର୍ତ୍ତନର ସମ୍ଭାବନା କମ ରହିଛି ।
ପିଚ୍ ରିପୋର୍ଟ
ଦୁବାଇର ପିଚ୍ ଏ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିରେ ବ୍ୟାଟିଂ ଓ ସ୍ପିନ ବୋଲିଂ ପାଇଁ ବେଶ ସହାୟକ ରହିଛି । ଯେ ପର୍ଯ୍ୟନ୍ତ ଭାରତ ଦୁଇଟି ମ୍ୟାଚରେ ବିଜୟର ପିଛା କରି ବିଜୟ ହାସଲ କରିଛି । ଯେମିତି ଯେମିତି ପିଚ୍ ପୁରୁଣା ହେବ, ଏଠାରେ ବ୍ୟାଟିଂ କରିବା ସହଜ ହେବ । ଏଥିପାଇଁ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ ଚୟନ କରି ପାରନ୍ତି ।
ହେଡ ଟୁ ହେଡ ରେକର୍ଡ
ଏ ପର୍ଯ୍ୟନ୍ତ କ୍ରିକେଟ୍ ଇତିହାସରେ ଭାରତ ଓ ନ୍ୟୁଜିଲାଣ୍ଡ ୧୧୮ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ୬୦ ଥର ଭାରତୀୟ ଦଳ ଏବଂ ୫୦ ଥର ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଛନ୍ତି । ଗୋଟିଏ ମ୍ୟାଚ୍ ଟାଇ ଥିବା ବେଳେ ୭ଟି ମ୍ୟାଚର ପରିଣାମ ବାହାରି ନାହିଁ । ଗତ ୫ଟି ମୁକାବିଲାରେ ଭାରତ ପ୍ରତି ଥର ବାଜିମାତ କରିଛି ।
ଭାରତ ଓ ନ୍ୟୁଜିଲାଣ୍ଡର ସମ୍ଭାବିତ ଚୂଡାନ୍ତ ଏକାଦଶ
ଭାରତ- ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ ।
ନ୍ୟୁଜିଲାଣ୍ଡ- ୱିଲ ୟଙ୍ଗ, ଡେଭନ କନେଓ, କେନ ୱିଲିୟମସନ,ରଚିନ ରବୀନ୍ଦ୍ର, ଟମ୍ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ, ମିଚେଲ୍ ସାଣ୍ଟନର(ଅଧିନାୟକ), ମାଟ ହେନରୀ, କାଇଲ ଜେମିସନ, ୱିଲିୟମ ଓ ରୁର୍କେ ।