ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ସୁଖବର। ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ଶାମି ସଂପୂର୍ଣ୍ଣ ଫିଟ୍ ହୋଇଛନ୍ତି। ଉଭୟ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତ। ଭାରତ ଓ ନ୍ୟୁଜିଲାଣ୍ଡ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପହଞ୍ଚି ସାରିଛନ୍ତି।ଏବେ ଦୁଇ ଦଳର ନଜର ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିବା ଉପରେ ରହିଛି।
ଉଲ୍ଲେଖନୀୟ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା ଓ ଶାମି ଦୀର୍ଘ ସମୟ ପଡ଼ିଆ ବାହାରେ ଥିଲେ। ଫଳରେ ଦୁଇ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ମ୍ୟାଚ୍ ପରେ ଦୁଇ ଖେଳାଳି ନେଟ୍ ସେସନରେ ବି ଯୋଗ ଦେଇ ନ ଥିଲେ।
ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲ ସାମ୍ବାଦିକଙ୍କୁ କହିଛନ୍ତି ଯେ, କୌଣସି ଖେଳାଳି ମ୍ୟାଚ୍ରୁ ବାଦ୍ ପଡ଼ୁ ନାହାନ୍ତି। ସମସ୍ତ ଖେଳାଳି ଜିମ୍ ଯାଉଛନ୍ତି ଏବଂ ଟ୍ରେନିଂ କରୁଛନ୍ତି। ଯଦି ବି କିଛି ସମସ୍ୟା ଅଛି ତେବେ ତାହା କୌଣସି ଚିନ୍ତାର ବିଷୟ ନୁହେଁ। ୩୪ ବର୍ଷୀୟ ଶାମି ବର୍ଷେରୁ ଅଧିକ ସମୟ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଇଂଲଣ୍ଡ ବିପକ୍ଷ ଦ୍ଵିପାକ୍ଷିକ ସିରିଜ୍ରେ ଲୟରେ ନ ଥିଲେ। ମାତ୍ର ବାଂଲାଦେଶ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ୫ ଓ୍ଵିକେଟ୍ ନେଇ ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ।
କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ନିରାଶଜନକ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ରୋହିତ ଶର୍ମା କିଛି ବିଳମ୍ବ ପର୍ଯ୍ୟନ୍ତ ପଡ଼ିଆ ବାହାରେ ଥିଲେ। ଏହି ସମୟରେ ଶୁଭମନ ଗିଲ୍ ଅଧିନାୟକତ୍ଵ ଦାୟିତ୍ଵ ତୁଲାଇଥିଲେ। କିନ୍ତୁ ଏହି ମ୍ୟାଚ୍ରେ ରୋହିତ ଶର୍ମା ବ୍ୟାଟିଂ କରିଥିଲେ। ତେବେ ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଫିଟ୍ ହୋଇଛନ୍ତି ଏବଂ ଗତକାଲି ନେଟ୍ ସେସନରେ ନଜର ଆସିଥିଲେ।