ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ ଚିତ୍ର ସ୍ପଷ୍ଟ ହୋଇ ଯାଇଛି। ଚାରି ଦଳ ନ୍ୟୁଜିଲାଣ୍ଡ, ଭାରତ, ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ସେମିରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକାର ସେମି ଫାଇନାଲ୍ ପ୍ରବେଶ ସହିତ ଆଫଗାନିସ୍ତାନର ଆଶା ସମାପ୍ତ ହୋଇଛି। ଇଂଲଣ୍ଡ ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ବିଜୟ ହାସଲ କରିଥାନ୍ତା ତେବେ ଆଫଗାନିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇଥାନ୍ତା। ମାତ୍ର ଆଜି ମ୍ୟାଚ୍ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ୭ ଓ୍ଵିକେଟ୍ରେ ହାରିଛି।
ତେବେ ସେମି ଫାଇନାଲ୍ ମୁକାବିଲାରେ କେଉଁ ଦଳ ସହ କାହାର ମୁକାବିଲା ହେବ ତାହା ମାର୍ଚ୍ଚ ୨ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ପରେ ସ୍ପଷ୍ଟ ହେବ। ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲାଣ୍ଡ ଏବଂ ଗ୍ରୁପ ବିରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପ୍ରବେଶ କରିଛନ୍ତି। ଯଦି ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡକୁ ହରାଏ ତେବେ ସେମି ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭେଟିବ। ପରାଜିତ ହେଲେ ଭାରତ ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।
ସୂଚନାଯୋଗ୍ୟ, ଆଫଗାନିସ୍ତାନ ଦଳ ତେବେ ସେମି ଫାଇନାଲ୍ରେ ପହଞ୍ଚିଥାନ୍ତା ଯଦି ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଅତି କମରେ ୨୦୭ ରନରେ ହରାଇଥାନ୍ତା। କିନ୍ତୁ ଓଲଟା ଇଂଲଣ୍ଡ ଦଳ ୩୮.୨ ଓଭରରେ ୧୭୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ୧୮୧ ରନ କରି ମ୍ୟାଚ୍କୁ ଜିତି ନେଇଛି।
ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏ ଗ୍ରୁପରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ରହିଛି। ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛି। ଟୁର୍ଣ୍ଣାମେଣ୍ଟରୁ ଆୟୋଜକ ପାକିସ୍ତାନ, ବାଂଲାଦେଶ, ଇଂଲଣ୍ଡ ଓ ଆଫଗାନିସ୍ତାନ ବାଦ୍ ପଡ଼ିଛନ୍ତି।