ନୂଆଦିଲ୍ଲୀ: ମଙ୍ଗଳବାର ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟର ନକଆଉଟରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ୬ ଥର ଭେଟିଛନ୍ତି । ଏବେ ସପ୍ତମ ଥର ଦୁଇ ଦଳ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି । ତେବେ ଆପଣ ଜାଣିଛନ୍ତି କି, ଆଇସିସି ଦିନିକିଆ ଇଭେଣ୍ଟର ନକଆଉଟ୍ ମ୍ୟାଚରେ କାହାର ପଲ୍ଲା ଭାରି ରହିଛି ?
ଆଇସିସି ଦିନିକିଆ ଇଭେଣ୍ଟର ନକଆଉଟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ତିନି ଥର ଭେଟିଛି । ଚାମ୍ପିଅନ୍ସ ଟ୍ରଫି ୧୯୯୮ କ୍ୱାର୍ଟର ଫାଇନାଲରେ ଦୁଇ ଦଳ ପ୍ରଥମ ଥର ଭେଟିଥିଲେ । ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଥିଲା । ଚାମ୍ପିଅନ୍ସ ଟ୍ରଫି ୨୦୦୦ରେ ଭାରତ କଙ୍ଗାରୁ ଦଳକୁ ୨୦ ରନରେ ମାତ୍ ଦେଇଥିଲା । ଏହା ପରେ ଦିନିକିଆ ବିଶ୍ୱକପ୍ ୨୦୧୧ର କ୍ୱାର୍ଟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଥିଲା । ସେହିପରି ଅଷ୍ଟ୍ରେଲିଆ ବି ଭାରତକୁ ନକଆଉଟେ ତିନି ଥର ହରାଇଛି । ଦିନିକିଆ ବିଶ୍ୱକପ ୨୦୦୩ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୧୨୫ ରନରେ ହରାଇଥିଲା । ଏହା ପରେ ଦିନିକିଆ ବିଶ୍ୱକପ୍ ୨୦୧୫ ସେମି ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ମାତ୍ ଦେଇଥିଲା । ସେହିପରି ଦିନିକିଆ ବିଶ୍ୱକପ୍ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ମାତ୍ ଦେଇଥିଲା ।
କିନ୍ତୁ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ବିରୋଧରେ ଭାରତର ପଲ୍ଲା ଭାରି ରହିଛି । ଭାରତ ଅଷ୍ଟ୍ରେଲିଆକୁ ଦୁଇ ଥର ହରାଇଛି । ଏହିପରି ଚାମ୍ପିଅନ୍ସ ଟ୍ରଫିରେ କଙ୍ଗାରୁ ଦଳ ଭାରତକୁ ହରାଇବାରେ ବିଫଳ ରହିଛନ୍ତି । ମାତ୍ର ଦିନିକିଆ ଫର୍ମାଟରେ ମୋଟାମୋଟି ରେକର୍ଡ ଓଲଟା ରହିଛି । ଏ ପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୫୧ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏଥିରୁ ଅଷ୍ଟ୍ରେଲିଆ ୮୪ଟି ଜିତିଥିବା ବେଳେ ଭାରତ ୫୭ଟି ମ୍ୟାଚ୍ ଜିତିଛି ।