କରାଚୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଗ୍ରୁପ୍-‘ବି’ରେ ସେମିଫାଇନାଲ୍ ଦୌଡ଼ ଏବେ ବି ଜାରି ରହିଛି। ଆଜି କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। କେଉଁ ଦଳ ଦ୍ବିତୀୟ ସେମିଫାଇନାଲିଷ୍ଟ ହେବ ଓ କେଉଁ ଦଳ ଟେବୁଲର ଶୀର୍ଷରେ ରହିବ ତାହା ଏହି ମ୍ୟାଚ୍ ହିଁ ନିର୍ଦ୍ଧାରଣ କରିବ। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି, କିନ୍ତୁ ଯଦି ସେମାନେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରନ୍ତି, ତେବେ ଏହା ଗ୍ରୁପ୍ ବି ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆର ସ୍ଥିତିକୁ କ୍ଷତି ପହଞ୍ଚାଇପାରେ।
ବର୍ତ୍ତମାନ ଅଷ୍ଟ୍ରେଲିଆ ଗ୍ରୁପ୍ ବିରେ ୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି, କିନ୍ତୁ ଶ୍ରେଷ୍ଠ ନେଟ୍ ରନ୍ ରେଟ୍ ରହିଛି ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ମଧ୍ୟ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟରେ ଉଭୟ ମ୍ୟାଚ୍ ହାରିଥିବା ଇଂଲଣ୍ଡ ପୂର୍ବରୁ ବାଦ୍ ପଡ଼ିଛି।
ଅଷ୍ଟ୍ରେଲିଆ ତା'ର ତିନୋଟି ଯାକ ମ୍ୟାଚ୍ ଖେଳିଛି, ତେଣୁ ଟେବୁଲର ଶୀର୍ଷରେ ରହିବାକୁ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ଜିତିବ ବୋଲି ଆଶା ରଖିବାକୁ ପଡ଼ିବ। ଆଜିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ଟେବୁଲର ଶୀର୍ଷରେ ପହଞ୍ଚିବ। ଯଦି ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମ୍ୟାଚ୍ ଡ୍ର’ରେ ଶେଷ ହୁଏ, ତା'ହେଲେ ଅଷ୍ଟ୍ରେଲିଆକୁ ଝଟକା ଲାଗିବ। କାରଣ ଦକ୍ଷିଣ ଆଫ୍ରିକା ସମାନ ପଏଣ୍ଟ ଏବଂ ଉନ୍ନତ ନେଟ୍ ରନ୍ ରେଟ୍ ଯୋଗୁଁ ପ୍ରଥମ ସ୍ଥାନକୁ ଉଠିବ।
ଅଷ୍ଟ୍ରେଲିଆ - ୪ ପଏଣ୍ଟ (+୦.୪୭୫)
ଦକ୍ଷିଣ ଆଫ୍ରିକା - ୩ ପଏଣ୍ଟ (+୨.୧୪୦)
ଆଫଗାନିସ୍ତାନ - ୩ ପଏଣ୍ଟ (-୦.୯୯୦)
ଇଂଲଣ୍ଡ - ୦ ପଏଣ୍ଟ (-୦.୩୦୫)
ଭାରତୀୟ ଦଳ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ। ଗ୍ରୁପ୍ 'ଏ'ରେ କିଏ ଶୀର୍ଷରେ ରହିବ ତାହା ସେହି ମ୍ୟାଚ୍ ହିଁ ନିର୍ଦ୍ଧାରଣ କରିବ। ସୂଚନାଯୋଗ୍ୟ, ଗ୍ରୁପ୍ 'ଏ'ର ଶୀର୍ଷ ଦଳ ଗ୍ରୁପ୍ 'ବି'ରୁ ଦ୍ବିତୀୟ ସ୍ଥାନରେ ଥିବା ଦଳକୁ ଭେଟିବାକୁ ଥିବା ବେଳେ ଗ୍ରୁପ୍ 'ବି'ର ଶୀର୍ଷ ଦଳ ଗ୍ରୁପ୍ 'ଏ'ର ଦ୍ବିତୀୟ ସ୍ଥାନରେ ଥିବା ଦଳକୁ ଭେଟିବ। ଏହି ପରିପ୍ରେକ୍ଷୀରେ ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ହରାଇ ଗ୍ରୁପ୍ ବି'ର ଶୀର୍ଷରେ ରହିଥାଏ ଏବଂ ଭାରତ ନିଜ ଗ୍ରୁପ୍ ରେ ଶୀର୍ଷରେ ରହେ, ତେବେ ସେମିଫାଇନାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇପାରନ୍ତି।
ଅଧିକ ପଢ଼ନ୍ତୁ: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ଦର୍ଶକଙ୍କୁ ମିଳିବ ମାଗଣା ଇଫତାର ବକ୍ସ