ନୂଆଦିଲ୍ଲୀ: ଦୁବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଦ୍ୱାଦଶ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚକୁ ନେଇ ଖୁସି ଖବର ଆସିଛି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ସମୟରେ ଦର୍ଶକଙ୍କୁ ମାଗଣା ଇଫତାର ବକ୍ସ ଦିଆଯିବ। ଶନିବାରଠାରୁ ରମଜାନ ମାସ ଆରମ୍ଭ ହେଉଛି। ଏହି ମାସରେ ଉପବାସ ପାଳନ କରାଯାଏ। ରମଜାନକୁ ଦୃଷ୍ଟିରେ ରଖି ଏମିରେଟ୍ସ କ୍ରିକେଟ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଦୁବାଇରେ ହେବାକୁ ଥିବା ସମସ୍ତ ମ୍ୟାଚରେ ଦର୍ଶକଙ୍କ ପାଇଁ ବୋର୍ଡ ଇଫତାରର ବ୍ୟବସ୍ଥା କରିବ।
ୟୁଏଇ କ୍ରିକେଟ୍ ବୋର୍ଡ ଏକ୍ସ ଉପରେ ଏକ ପୋଷ୍ଟ ସେୟାର କରିଛି। ଏହା ଜରିଆରେ ଦୁବାଇରେ ହେବାକୁ ଥିବା ମ୍ୟାଚ୍ ସମୟରେ ପ୍ରଶଂସକଙ୍କୁ ମାଗଣା ଇଫତାର ବକ୍ସ ଦିଆଯିବ ବୋଲି ସୂଚନା ଦିଆଯାଇଛି। ବୋର୍ଡ ଏହି ପୋଷ୍ଟରେ ଲେଖିଛି, ପବିତ୍ର ରମଜାନ ମାସ ମାର୍ଚ୍ଚ ୨ ତାରିଖ ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଭାରତ ଗ୍ରୁପ୍ ଏ ମ୍ୟାଚ୍ ସହିତ ଆରମ୍ଭ ହେବ। ଏହି ଅବସରରେ କରୁଥିବା ଦର୍ଶକଙ୍କୁ ଷ୍ଟାଡିୟମରେ ଇଫତାର ବକ୍ସ ଦିଆଯିବ।
ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ରବିବାର ଦୁବାଇରେ ନିଜର ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବେ। ଭାରତ ତା'ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଏହାପରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା। ପାକିସ୍ତାନ ଓ ବାଂଲାଦେଶ ଦଳ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ରେ ଏବଂ ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ରେ ଖେଳାଯିବ। ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୯ତାରିଖରେ ଖେଳାଯିବ।