ମୁମ୍ବାଇ: ଏକ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଛନ୍ତି ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ । ଔରଙ୍ଗଜେବଙ୍କୁ ପ୍ରଶଂସା କରି ଫସିଛନ୍ତି ସପା ବିଧାୟକ । ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ମହାରାଜାଙ୍କୁ ହତ୍ୟା କରିଥିବା ଔରଙ୍ଗଜେବଙ୍କ ପ୍ରଶଂସା କରିବା ବିଧାୟକ ଅବୁ ଆଜମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କ ଏବେ ଦେଶ ଦ୍ରୋହର ଆଖ୍ୟା ଦିଆଯାଉଛି ।
କଥା ଏମିତିକି, ଆବୁ ଆଜମୀ ଔରଙ୍ଗଜେବଙ୍କୁ ଜଣେ ଉତ୍କୃଷ୍ଟ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି । ଏବେ ତାଙ୍କ ବୟାନ ପରେ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ଆବୁ ଆଜମୀଙ୍କ ମନ୍ତବ୍ୟକୁ ନେଇ ଖଡ଼ଗହସ୍ତ ହୋଇପଡ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆବୁ ଆଜମୀଙ୍କ ଉପରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସା କରିବା ପାଇଁ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି ।
ଏକନାଥ ସିନ୍ଦେଙ୍କ ବୟାନ ପରେ, ଧାର୍ମିକ ଭାବନାକୁ ଆଘାତ ଦେବାର ଚେଷ୍ଟା କରିବା ଅଭିଯୋଗରେ ଲୋକସଭା ସାଂସଦ ନରେଶ ମହସ୍କେଙ୍କ ଅଭିଯୋଗ କ୍ରମେ ସିନ୍ଦେଙ୍କ ରାଜନୈତିକ ଗଡ଼ ଥାନେରେ ଆବୁ ଆଜମୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି।
ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଛତ୍ରପତି ସମ୍ଭାଜୀ ମହାରାଜଙ୍କୁ ୪୦ ଦିନ ବନ୍ଦୀ ରଖିବା ପରେ ହତ୍ୟା କରିଥିଲେ, ସେ କିପରି ଜଣେ ଭଲ ପ୍ରଶାସକ ହୋଇପାରିବେ ? ଯିଏ ନିଜ ମାଆ ଏବଂ ଭଉଣୀମାନଙ୍କୁ ବଳାତ୍କାର କରିଛି, ସେହି ଔରଙ୍ଗଜେବ ଆବୁ ଆଜମୀ କିପରି ପସନ୍ଦ କରିପାରିବେ ?
ଏସପି ବିଧାୟକ ମହାରାଷ୍ଟ୍ରର ଜନସାଧାରଣଙ୍କ ନିକଟରେ କ୍ଷମା ମାଗିବା ଉଚିତ ବୋଲି ଦାବି କରିଛନ୍ତି ଏକନାଥ ସିନ୍ଦେ । କେବେଳ ସିନ୍ଦେ ନୁହେଁ ତାଙ୍କ ବ୍ୟତୀତ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେ ଆବୁ ଆଜମୀଙ୍କ ଏହି ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।