ଦୁବାଇ: ଭାରତରେ କ୍ରିକେଟ୍ ପ୍ରେମୀଙ୍କ ହୃଦ ସ୍ପନ୍ଦନ ବଢ଼ି ଯାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହୋଯାଇଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମି ଫାଇନାଲ ମୁକାବିଲା । ଭାରତୀୟ ଖେଳାଳିମାନେ ହାତରେ କଳା ପଟି ବାନ୍ଧି ଓହ୍ଲାଇଥିବା ଦେଖିବାକୁ ମିଳିଛି ।
ଯଦି ଦେଶରେ କେହି ଦିଗ୍ଗଜ ବ୍ୟକ୍ତିଙ୍କ ନିଧନ ହୁଏ ତେବେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଏମିତି କରାଯାଏ । ଆଜି ମଧ୍ୟ ଭାରତୀୟ ଟିମ୍ ହାତରେ କଳା ପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଛି । ମୁମ୍ବାଇର ପୂର୍ବତନ କ୍ରିକେଟର ଶ୍ରୀ ପଦ୍ମାକର ଶିବଲକରଙ୍କ ସ୍ମୃତିରେ ଏମିତି କରାଯାଇଛି । ଏ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ପଦ୍ମାର ଶିବଲକର ୮୪ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି । ସେ ମୁମ୍ବାଇ ପାଇଁ ଦୀର୍ଘ ୨୦ ବର୍ଷ ଧରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି । କିନ୍ତୁ ସେ ଭାରତୀୟ ଦଳରେ ନିଜର ସ୍ଥାନ ବନାଇ ପାରି ନ ଥିଲେ ।
ଉଲ୍ଲେଖ ଯୋଗ୍ୟ, ପଦ୍ମାକର ଶିବଲକର ୨୧ ବର୍ଷ ବୟସରେ ୧୯୬୧/୬୨ ସିଜିନରେ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅର ଆରମ୍ଭ କରିଥିଲେ । ସେ ୪୭ ବର୍ଷ ବୟସରେ ୧୯୮୭/୮୮ ସିଜିନରେ ମୁମ୍ବାଇ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ସେ ତାଙ୍କ କ୍ୟାରିୟରରେ ୧୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୫୮୯ଟି ୱିକେଟ ନେଇଥିଲେ । ଏହି ସମୟ ମଧ୍ୟରେ, ସେ ପାଞ୍ଚ ଥର ୪୨ଟି ୱିକେଟ୍ ଏବଂ ୧୩ ଥର ୧୦ଟି ୱିକେଟ୍ ନେବାର ରେକର୍ଡ କରିଥିଲେ । ସେ ୧୯୭୨/୭୩ ସିଜିନରେ ତାମିଲନାଡୁ ବିପକ୍ଷରେ ରଣଜୀ ଟ୍ରଫିର ଫାଇନାଲରେ ୧୬ ରନରେ ୮ଟି ଏବଂ ୧୮ ରନରେ ୫ଟି ୱିକେଟ ନେଇ ମୁମ୍ବାଇକୁ କ୍ରମାଗତ ୧୫ତମ ଟାଇଟଲ ଦେଇଥିଲେ।