ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ଜାରି ରହିଛି । ଭାରତୀୟ ବୋଲିଂ ପ୍ରଦର୍ଶନ ଭଲ ରହିଛି । ଏହାରି ମଧ୍ୟରେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ହାତରେ ଆଘାତ ଲାଗିଥିବାବେଳେ ବ୍ୟାଣ୍ଡେଜ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅମ୍ପାୟାର ।
ଜାଡ଼େଜା ଜଣେ ବାମ ହାତର ଖେଳାଳି ଅଟନ୍ତି । ତାଙ୍କ ବାମ ହାତରେ ଆଘାତ ଲାଗିଥିଲା । ଫଳରେ ରକ୍ତ ସ୍ରାବ ହୋଇଥିଲା । ସେଥିପାଇଁ ସେ ହାତରେ ବ୍ୟାଣ୍ଡେଜ୍ ଲଗାଇଥିଲେ । କିନ୍ତୁ ୧୯ତମ ଓଭରରେ ଯେତେବେଳେ ସେ ବୋଲିଂ କରିବାକୁ ଯାଇଥିଲେ, ସେତେବେଳେ ଅମ୍ପାୟାର୍ ରିଚର୍ଡ ଇଲିଂଗବର୍ଥ ହାତରୁ ବ୍ୟାଣ୍ଡେଜ୍ ହଟାଇବାକୁ କହିଥିଲେ । ଏହା ପରେ ଜାଡ଼େଜା ବ୍ୟାଣ୍ଡେଜ୍ ଖୋଲି ଦେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ତାଙ୍କ ହାତରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା ।
ତେବେ ଏମସିସିର ନିୟମ ଅନୁସାରେ ଯେଉଁ ହାତରେ ବୋଲର୍ ବୋଲିଂ କରିବେ ସେହି ହାତରେ କୌଣସି ପଟି ରହି ପାରିବ ନାହିଁ । ଦୁର୍ଭାଗ୍ୟବଶତଃ ଜାଡ଼େଜା ଜଣେ ବାମ ହାତ ବୋଲର୍ ହୋଇଥିବାବେଳେ ତାଙ୍କ ବାମ ହାତରେ ହିଁ ଆଘାତ ଲାଗିଥିଲା ।
ଖବର ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୪୩ ଓଭର୍ ସୁଦ୍ଧା ୬ଟି ୱିକେଟ୍ ହରାଇ ୨୨୭ ରନ୍ କରିଥିଲା । ଭାରତର ବୋଲର୍ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡ଼େଜା ୨-୨ଟି ୱିକେଟ୍ ନେଇଛନ୍ତି । ସେହିପରି ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।