ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ପୁଣି ଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ୍ ମ୍ୟାଚରେ ମୁହାଁମୁହିଁ ହେବେ ଏହି ଦୁଇ ଶକ୍ତିଶାଳୀ ଦଳ । ଯେବେ ଏହି ଦୁଇ ଦଳ ମଧ୍ୟରେ ମୁକାବିଲା ହୁଏ ପ୍ରଶଂସକଙ୍କ ହୃଦ ସ୍ପନ୍ଦନ ଅଧିକ ବଢିଯାଏ । କିନ୍ତୁ ଏଥର କ୍ରିକେଟ୍ ପ୍ରେମୀଙ୍କ ହୃଦ ସ୍ପନ୍ଦନ ଅଧିକ ବଢି ଯାଇଛି । ଏହାର କାରଣ ଚାମ୍ପିଅନ୍ସ ଟ୍ରଫି ଓ ୨୦୧୫ ଦିନିକିଆ ବିଶ୍ୱକପ୍ ସେମି ଫାଇନାଲର ସଂଯୋଗ । ଏହା ବାଦ୍ ଅଷ୍ଟ୍ରେଲିଆ ଦଳରେ ଷ୍ଟିଭ ସ୍ମିଥଙ୍କ ଉପସ୍ଥିତି ଏହି ସଂଯୋଗକୁ ଆହୁରି ବଡ କରି ଦେଇଛି ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ଓ ଦିନିକିଆ ବିଶ୍ୱକପ୍ ୨୦୧୬ର ସେମି ଫାଇନାଲର ଜବରଦସ୍ତ ସମାନତା ରହିଛି । ଚାମ୍ପିଅନ୍ସ ଟ୍ରଫିରେ ସେମି ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆଠୁ ନେଇ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇ ଆସିଛି । ୨୦୧୫ରେ ଖେଳା ଯାଇଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ସେମି ଫାଇନାଲ ଲାଇନ ଅପ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରି ସମାନ ରହିଛି । ସେହି ସମୟରେ ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।
ଅନ୍ୟପଟେ ଦ୍ୱିତୀୟ ସେମି ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୨୮ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଭାରତୀୟ ଦଳ ୨୩୩ ରନ କରିଥିଲା । ଏହି ମ୍ୟାଚରେ ଷ୍ଟିଭ ସ୍ମିଥ ଶତକୀୟ ଇନିଂସ ଖେଳିଥିଲେ । ଆଉ ଆଜି ଏହି ଅଷ୍ଟ୍ରେଲିଆ ଦଳର ଅଧିନାୟକତ୍ୱ ଷ୍ଟିଭ ସ୍ମିଥ କରୁଛନ୍ତି ।
୨୦୨୩ ଦିନିକିଆ ବିଶ୍ୱକପରେ ବି ଏହି ଟିମ୍
ଚାମ୍ପିଅନ୍ସ ଟ୍ରଫି ୨୦୨୫, ବିଶ୍ୱକପ୍ ୨୦୧୫ ସହିତ ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଏହି ସମାନ ଚାରି ଦଳ ସେମି ଫାଇନାଲ୍ ଖେଳିଥିଲେ । ୨୦୨୩ ଦିନିକିଆ ବିଶ୍ୱକପରେ ସେମି ଲାଇନଅପ୍ କିଛି ଅଲଗା ଥିଲା । ଭାରତ ନ୍ୟୁଜିଲାଣ୍ଡକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇ ବିଶ୍ୱ ଚାମ୍ପିଅନ ହୋଇଥିଲା ।