ଦୁବାଇ: ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଏଥିପାଇଁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ରହିଥିବାବେଳେ କଙ୍ଗାରୁ ଦଳକୁ ମନରେ ଆଶଙ୍କା ମଧ୍ୟ ରହିଛି । କାରଣ ସମସ୍ତ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟର କଙ୍ଗାରୁ ଦଳ ହିଁ ଭାରତ ପାଇଁ କାଳ ସାଜିଛି । ଗତ ବିଶ୍ୱ କପରେ ଅପରାଜିତ ଥିବା ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହିଁ ହାରି ଯାଇଥିଲା । ସେହିପରି ଟେଷ୍ଟ ଚାମ୍ପିଅନସିପର୍ ରେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ପରାଜୟର ରାସ୍ତା ଦେଖାଇଥିଲା ।
ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ବାହିନୀ ଷ୍ଟିଭେନ୍ ସ୍ମିଥଙ୍କ ଦଳକୁ ସାମ୍ନା କରିବାକୁ ଯାଉଛି । । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ଉଭୟ ଦଳ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଭାରତ ୩ଟି ମ୍ୟାଚ୍ରେ ଅପରାଜିତ ରହିଛି । ଅନ୍ୟପକ୍ଷରେ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ଲାଭ କରିଥିଲା । ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପାଇଁ ଚାରି-ଚାରି ଜଣ ସ୍ପିନରଙ୍କୁ ମଇଦାନକୁ ଓହ୍ଲାଇପାରେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରି ଜଣ ସ୍ପିନରଙ୍କୁ ଏକାଠି ଖେଳାଇବାରୁ ଟିମ୍ ଇଣ୍ଡିଆ ବହୁତ ଲାଭବାନ ହୋଇଥିଲା । ସେମିଫାଇନାଲ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ମଧ୍ୟ ସ୍ପିନରଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ ।
କିନ୍ତୁ ଭାରତ ଉପରେ ସବୁବେଳେ ଅଷ୍ଟ୍ରେଲିଆ ଭାରି ପଡ଼ିଛି । ତେଣୁ ଆଜିର ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ୍ ପ୍ରେମୀମାନେ ଆଶା ଆଶଙ୍କାରେ ରହିଛନ୍ତି । ଭାରତ ପୂର୍ବ ବିଶ୍ୱ କପର ପ୍ରତିଶୋଧ ନେବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି । ତେବେ ଖବର ଲେଖାଯିବା ବେଳକୁ ଉଭୟ ଦଳର ଚୂଡ଼ାନ୍ତ ଏକାଦଶ ତାଲିକା ପ୍ରକାଶ ପାଇ ନ ଥିବାବେଳେ ଆସନ୍ତୁ ନଜର ପକାଇବା ସମ୍ଭାବ୍ୟ ତାଲିକା ଉପରେ ।
ଉଭୟ ଦଳର ସମ୍ଭାବ୍ୟ ଏକାଦଶ
ଭାରତ - ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ରିଷଭ ପନ୍ତ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ହର୍ଷିତ ରାଣା ।
ଅଷ୍ଟ୍ରେଲିଆ - ଜେକ୍ ଫ୍ରେଜର ମ୍ୟାକଗର୍କ, ଟ୍ରାଭିସ୍ ହେଡ୍, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ମାର୍ନସ୍ ଲାବୁଶେନ୍, ଜୋଶ୍ ଇଙ୍ଗଲିସ୍ (ୱିକେଟ୍ କିପର୍), ଆଲେକ୍ସ କେରି, ଗ୍ଲେନ୍ ମ୍ୟାକ୍ସୱେଲ୍, ବେନ୍ ଦ୍ୱାରଶୁଇସ୍, ନାଥନ୍ ଏଲିସ୍, ଆଡାମ ଜାମ୍ପା, ସ୍ପେନ୍ସର ଜନସନ୍, ସିଆନ୍ ଆବୋଟ୍, ଆରୋନ୍ ହାର୍ଡି, ତନବୀର ସଂଘା, କୁପର୍ କନୋଲି।