ପୁରୀ: ଆସନ୍ତାକାଲି ଫାଲଗୁନ ମାସ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ପ୍ରାୟ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଶ୍ରୀବିଗ୍ରହଙ୍କର ଦର୍ଶନ ପାଇପାରିବେ ନାହିଁ । କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ଏହି ନୀତି ଦତ୍ତମହାପାତ୍ର ସେବକମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ ।
ମହାପ୍ରଭୁଙ୍କର ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ପ୍ରାକୃତିକ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ପରମ୍ପରା ଅନୁଯାୟୀ ଦୁଇପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥାଏ ।