ଭୁବନେଶ୍ବର: ସବୁ ନିୟମ ଭୁଲିଗଲେ ପିସିସି ସଭାପତି ଭକ୍ତ ଦାସ।ଲିଙ୍ଗରାଜ ମନ୍ଦିର ବେଢ଼ାରେ ଫଟୋ ଉଠାଇ ଏବେ ଅଡୁଆରେ ପଡିଛନ୍ତି ପିସିସି ସଭାପତି ଭକ୍ତ ଦାସ।
ସୂଚନା ଅନୁଯାୟୀ ସୋମବାର ଭକ୍ତ ଦାସ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ଦର୍ଶନ ସାରି ଫେରିବା ସମୟରେ ମନ୍ଦିର ବେଢ଼ାରେ କିଛି ସମର୍ଥକଙ୍କ ଗହଣରେ ଫଟୋ ଉଠାଇଥିଲେ । ଏହି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚାରେ ଭକ୍ତ ଦାସ।
ଯେତେବେଳେ ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଉଠାଇବା ନେଇ କଟକଣା ରହିଛି ସେତେବେଳେ ପିସିସି ସଭାପତି ଏହା କିପରି ଜାଣିପାରିଲେ ନାହଁ ନା ଜାଣିଶୁଣି ନିୟମ ଉଲ୍ଲଂଘନ କରିଛନ୍ତି। ତେବେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ଯାଉଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ଫଟୋ ଉଠାଇବା ସମୟରେ ପୁଲିସ କିମ୍ବା ମନ୍ଦିର କର୍ମଚାରୀ କେହି ବି ବାରଣ କରୁ ନାହାନ୍ତି।
କିଛି ମାସ ପୂର୍ବରୁ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା । ଏବେ ପୁଣି ଲିଙ୍ଗରାଜଙ୍କ ବେଢ଼ାରେ ଫଠୋ ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ସମେତ ବିଭିନ୍ନ ମହଲରେ ଘଟଣାକୁ ନେଇ ପ୍ରଶ୍ନ ହୋଇଛି। ଏସବୁ ପାଇଁ କେଉଁମାନେ ଦାୟୀ? ବାରମ୍ବାର ଏପରି ଘଟୁଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଅନ୍ୟପଟେ ଏହି ଫଟୋ ଉଠା ଘଟଣାକୁ ନେଇ ପିସିସି ସଭାପତି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।