ଜଗତସିଂହପୁର/ମୟୁରଭଞ୍ଜ: ରାଜ୍ୟରେ ଦୁଇଟି ଜିଲ୍ଲାର ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଅପରାଧି ପୁଣି ଆଉ କେହି ନୁହେଁ, ନିଜ ଜନ୍ମ କଲା ସନ୍ତାନ । ଯେଉଁ ପୁଅ ବଂଶ ବଢ଼ାଇବାକୁ ଜନ୍ମ ନେଇଥିଲା, ସେହି ପୁଅ ବଂଶ ବୁଡ଼ାଇଦେଇଛି । ଜଗତସିଂହପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ସମାନ ଧରଣର ହତ୍ୟାକାଣ୍ଡ । ଜଗତସିଂହପୁରେ ବାପା, ମାଆ ଏବଂ ଭଉଣୀ ବିଭତ୍ସ ଭାବରେ ଛେଚି ଛେଚି ହତ୍ୟା କରିଛି ପୁଅ । ସେପଟେ ମୟୁରଭଞ୍ଜ ଜିଲ୍ଲାରେ ବାପାର କଟା ମୁଣ୍ଡ ଧରି ଥାନାରେ ପହଁଚିଛି ପୁଅ ।
ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜୟବଡ଼ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ନିଜ ପରିବାରକୁ ମାରି ଶୁଆଇ ଦେଇଛି ପୁଅ । ମୃତକମାନେ ହେଲେ ପ୍ରଶାନ୍ତ ସେଠୀ ଓରଫ୍ କାଳିଆ, ତାଙ୍କ ପତ୍ନୀ କନକଲତା ସେଠୀ ଓ ଝିଅ ରୋଜାଲିନ ସେଠୀ । ଅଭିଯୁକ୍ତ ଜଣକ ହେଲା ପ୍ରଶାନ୍ତଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ସେଠୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ରାତି ପ୍ରାୟ ୨ଟାରୁ ସାଢେ ୨ଟା ମଧ୍ୟରେ ସୂର୍ଯ୍ୟକାନ୍ତ ସମସ୍ତଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚିଛି । 3ଟି ମୃତ ଦେହକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ମୁହଁ ବିକୃତ ହୋଇଯାଇଛି । ପୋଲିସ ଘଟଣାସ୍ଥଳରୁ ପଥର ଓ ହେମ ଦସ୍ତା ପୁଆ ଜବତ କରିଛି । ତେଣୁ ସେହି ପଥର ଏବଂ ହେମଦସ୍ତାରରେ ସେମାନଙ୍କୁ ଛେଚି ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା, ଜଗତସିଂହପୁର ଥାନା ଆଇଆଇସି ପ୍ରଭାସ ସାହୁ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚିଛନ୍ତି । ସେପଟେ ହତ୍ୟାକାଣ୍ଡ ଭିଆଇବା ପରେ ଫେରାର ଥିବା ଅଭିଯୁକ୍ତ ପୁଅ ସୂର୍ଯ୍ୟକାନ୍ତ ସେଠୀକୁ ନିକଟସ୍ଥ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଗିରଫ କରାଯାଇଛି । ଅନଲାଇନ୍ ଗେମ୍ ଖେଳାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।
ସେହିପରି ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ବାପାର ମୁଣ୍ଡ କାଟି ହତ୍ୟା କରିଛି ପୁଅ । ମାଆକୁ ବି ହତ୍ୟା ଉଦ୍ୟମ କରିଛି ପୁଅ । ହତ୍ୟା କରିବା ପରେ ବାପାର କଟା ମୁଣ୍ଡ ଧରି ଥାନାରେ ଆତ୍ମ ସମର୍ପଣ କରିଛି ପୁଅ । ମୃତକ ହେଲେ ବାଇଧର ସିଂ (୭୦) । ଅଭିଯୁକ୍ତ ସାନ ପୁଅ ଶମ୍ଭୁ ସିଂ(୪୦) ଫାର୍ସାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ଶମ୍ଭୁକୁ ଅଟକ ରଖିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କାହିଁକି ଏହି ହତ୍ୟାକାଣ୍ଡ ହେଲା ତାହା ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।