ଭଦ୍ରକ ଜିଲ୍ଲା ବାଇପାସ୍ ସ୍ଥିତ RMC ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଦେଖୁ ଦେଖୁ ମାର୍କେଟ୍ ରେ ଥିବା ୩ଟି ଗୋଦାମ୍କୁ ନିଆଁ ବ୍ୟାପିଯାଇଥିଲା । ଯେଉଁଥିରେ ଏକ ବିସ୍କୁଟ, କୁର୍କୁରେ, ପ୍ଲାଷ୍ଟିକ ଗୋଦାମ୍ ରହିଛି । ତେବେ ନିଆଁ ଲାଗିବାର ଖବର ତୁରନ୍ତ ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା । ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ ।
ନିଆଁ ଲିଭାଇବା ସମୟରେ ଜଣେ ଅଗ୍ନିଶମ ବାହିନୀର କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡି ନ ଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।