ପୁରୀ: ଆସନ୍ତା ରଥଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲାଣି ପ୍ରଶାସନ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥର ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ୱତନ୍ତ୍ର ଆପ୍ । ଯାହା ଜରିଆରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ସୂଚନା ପାଇପାରିବେ । ଏନେଇ ପୁରୀ ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି ।
ଏଥିସହ ଚଳିତ ବର୍ଷ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ଏଆଇ କ୍ୟାମେରାର ବ୍ୟବହାର କରାଯିବ । ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ସେହିପରି ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି ।