ଓଏସଏସଏସସି ପରୀକ୍ଷା ପାଇଁ ଫିଜିକାଲ ଟେଷ୍ଟ ହେଲା କାଳ; ଦୌଡ଼ୁଥିବା ବେଳେ ଚାଲିଗଲା ଜୀବନ, ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଏସଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ । ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ଫିଜିକାଲ ଟେଷ୍ଟ ପାଇଁ ଦୌଡ଼ୁଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ଘଟିଛି ।
ସୁନ୍ଦରଗଡ଼ ଜିଲାରେ ଶାରୀରିକ ପରୀକ୍ଷା ସମୟରେ ୨୫ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରୁଥିଲେ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ ପ୍ରବୀଣ । ଉକ୍ତ ପୋଷ୍ଟ ପାଇଁ ଆଜି ଫିଜିକାଲ୍ ଟେଷ୍ଟ ଥିବାରୁ ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ପ୍ରବୀଣ ଭାଗ ନେଇଥିଲେ। ଦୌଡୁଥିବା ବେଳେ ସଦର ଥାନା କିରେଇ ନିକଟରେ ଅଚାନକ ଅଚେତ ହୋଇପଡ଼ିଥିଲେ ପ୍ରବୀଣ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ବେଳେ ଗତକାଲି ବ୍ୟୋମକେଶ ନାଏକ ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ ।
ଅଧିକ ପଢନ୍ତୁ: ଖୋର୍ଦ୍ଧାରେ ଅଘଟଣ; ବାଣ ଭିଡ଼ିବା ବେଳେ ବିସ୍ଫୋରଣ ହୋଇ ଉଡ଼ିଗଲା ଘରର ଆଜବେଷ୍ଟସ୍, ବିସ୍ପୋରଣରେ ସ୍ୱାମୀ-ସ୍ତ୍ରୀ ଗୁରୁତର
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଦୁଇ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।