ଦୁବାଇ: ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଲା ଭାରତ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ ରେ କଙ୍ଗାରକୁ ମାତ୍ ଦେଇ ଫାଇନାଲ୍ରେ ପ୍ରବେଶ କଲା ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ହାସଲ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ୭୩ ରନ ଓ ଆଲେକ୍ସ କେରିଙ୍କ ୬୧ ରନ ବଳରେ ୨୬୪ ରନ କରିଥିଲା ଜବାବରେ ଭାରତ ବିରାଟ କୋହଲିଙ୍କ ୮୪ ରନ ଓ ଶ୍ରେୟସ ଆୟରଙ୍କ ୪୫ ରନ ବଳରେ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। କେଏଲ ରାହୁଲ ୪୨ ରନର ଅପରାଜିତ ରହି ବିଜୟ ସୂଚକ ଛକା ମାରିଛନ୍ତି। ଭାରତ ଏବେ ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍ର ବିଜେତାକୁ ଫାଇନାଲ୍ରେ ଭେଟିବ। ଦ୍ଵିତୀୟ ସେମି ଆସନ୍ତାକାଲି ଖେଳାଯିବ।
୨୦୧୩ ଓ ୨୦୧୭ ପରେ ଭାରତ କ୍ରମାଗତ ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ମୋଟ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପଞ୍ଚମ ଥର ପ୍ରବେଶ କରିଛି। ୨୦୧୧ ଦିନିକିଆ ବିଶ୍ଵକପ୍ ନକଆଉଟ୍ ପରେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଛି।
ଭାରତର ଦୁଇ ଓପନର ଅଧିନାୟକ ରୋହିତ ଓ ଶୁଭମନ ଗିଲ୍ ପ୍ରଥମ ଓ୍ଵିକେଟ୍ରେ ୩୦ ରନ ଯୋଡ଼ିଥିଲେ। ଶୁଭମନ ଗିଲ୍ ୮ ରନ କରିଥିବା ବେଳେ ରୋହିତ ୨୮ ରନ କରି ପୁଣି ଥରେ ନିରାଶ କରିଛନ୍ତି। ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଭାରତର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ରେ ୯୧ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ। ତେବେ ଶ୍ରେୟସ ଆୟର ୪୫ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ବିରାଟ କୋହଲି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।
ଏହା ପରେ ବିରାଟ କୋହଲି ଓ ଅକ୍ଷର ପଟେଲ୍ ଚତୁର୍ଥ ଓ୍ଵିକେଟ୍ ଭାଗିଦାରୀରେ ୪୪ ରନ ଯୋଡ଼ିଥିଲେ। ଅକ୍ଷର ୨୭ ରନ କରି ଆଉଟ୍ ହୋଇଥିଲେ। କୋହଲି ଶତକ ଅଭିମୁଖେ ବଢୁଥିଲେ ହେଁ ବଡ଼ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ସେ ୯୮ ବଲ୍ରୁ ୫ ଚୌକା ଜରିଆରେ ୮୪ ରନ କରିଥିଲେ। ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର ଆଡ଼କୁ ଗତି କରିଥିଲୋ। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୨୪ ବଲରୁ ୧ ଚୌକା ଓ ୩ ଛକା ଜରିଆରେ ୨୮ ରନ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। କେଏଲ ରାହୁଲ ୪୨ ରନର ଆକର୍ଷଣୀୟ ଅପରାଜିତ ଇନିଂସ ଖେଳିଥିଲେ। ସେ ବିଜୟ ସୂଚକ ଛକା ମାରି ଭାରତକୁ ଜିତାଇଛନ୍ତି।