ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ କ୍ରିକେଟ୍ ପ୍ରେମୀ ବହୁ ଉତ୍ସାହର ସହ ଚାହିଁ ରହିଛନ୍ତି । ଏହି ମ୍ୟାଚରେ କାହାର ପଲ୍ଲା ଭାରି ଏବଂ କିଏ ଜିତିବାର ସମ୍ଭାବନା ଅଧିକ ରହିଛି ଏହାକୁ ନେଇ ପୂର୍ବାନୁମାନ ମଧ୍ୟ କରାଯାଉଛି । ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ଏହି ମ୍ୟାଚରେ ଭାରତ ଫେଭରିଟ । ପାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ ଓ ଜୋସ ହେଜେଲଉଡଙ୍କ ପରି ବଡ ଖେଳାଳିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ଦୁର୍ବଳ ଲାଗୁଛି । ଏହା ବ୍ୟତୀତ ଅଷ୍ଟ୍ରେଲିଆର ସ୍ପିନ ବୋଲିଂ ଆକ୍ରମଣ ମଧ୍ୟ ଶକ୍ତିଶାଳୀ ନୁହେଁ । ଏହି ଦୃଷ୍ଟିରୁ ଅଷ୍ଟ୍ରେଲିଆ ପାଇଁ ଭାରତୀୟ ଦଳକୁ ରୋକିବା ସହଜ ହେବନି ।
ସୁନୀଲ ଗାଭାସ୍କର କହିଛନ୍ତି, ଅଷ୍ଟ୍ରେଲିଆର ବ୍ୟାଟିଂ ମଜଭୁତ ରହିଛି । ମାତ୍ର ବୋଲିଂ ଦୁର୍ବଳ ଲାଗୁଛି । ପିଚକୁ ନେଇ ଏହି କିମ୍ବଦନ୍ତୀ କ୍ରିକେଟର କହିଛନ୍ତି ଯେ, ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ କୁହାଯାଉଥିଲା ଯେ, ଏହି ପିଚକୁ ସ୍ପିନରଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ତେଣୁ ସ୍ପିନରଙ୍କୁ ବେଶ ସହାୟକ ହେଉଛି । କିନ୍ତୁ ମୋ ମତରେ ପିଚରେ ସ୍ପିନରଙ୍କୁ ସେମିତି ଅଧିକ କିଛି ସହାୟତା ମିଳୁନାହିଁ । ଆମ ସ୍ପିନରଙ୍କୁ ଦେଖନ୍ତ, ସେମାନଙ୍କୁ ପ୍ରାରମ୍ଭିକ ଓଭରରେ ସଫଳତା ମିଳି ନ ଥିଲା । କିନ୍ତୁ ମ୍ୟାଚ୍ ଯେମିତି ଯେମିତି ଆଗକୁ ବଢିଲା ପିଚ୍ ସ୍ପିନରଙ୍କୁ ସୁହାଇଥିଲା ।
ଗାଭାସ୍କର କହିଛନ୍ତି ଯେ, ଦୁବାଇ ପିଚ୍ ସ୍ପିନରଙ୍କୁ କିଛିଟା ସୁହାଉଛି । କିନ୍ତୁ ଏଥିରେ ବ୍ୟାଟିଂ କରିବା ବି ତ ସେତେ ମୁସ୍କିଲ ନୁହେଁ । ଆମ ସ୍ପିନର ମାନେ ସଠିକ୍ ଲାଇନରେ ବୋଲିଂ କରି ବିପକ୍ଷ ବ୍ୟାଟରଙ୍କୁ ଅଡୁଆରେ ପକାଉଛନ୍ତି । ଏହା ଭାରତୀୟ ସ୍ପିନରଙ୍କ ସାମର୍ଥ୍ୟ । ନଚେତ୍ ସ୍ପିନରଙ୍କୁ ବେଶି ଅଧିକ ପିଚ୍ ସୁହାଉନି । ସବୁ ଦିଗକୁ ଦେଖିଲେ ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହିବ । ଅଷ୍ଟ୍ରେଲିଆକୁ ନିଜ ବୋଲିଂ ବିଭାଗକୁ ସନ୍ତୁଳିତ କରିବାକୁ ପଡିବ ବୋଲି ଏହି ପୂର୍ବତନ ଭାରତୀୟ ଖେଳାଳି କହିଛନ୍ତି ।