ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ସକାଳୁ ସକାଳୁ ଏକ ଖବର ଆସିଛି । ଦେବେନ୍ଦ୍ର ଫଡ଼ନାବିସଙ୍କ ମନ୍ତ୍ରୀମଣ୍ଡଳର ଟାଣୁଆ ସଦସ୍ୟ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ପିଏସ ପ୍ରଶାନ୍ତ ଜୋଶୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ନିକଟକୁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଉକ୍ତ ଇସ୍ତଫା ପତ୍ରଙ୍କୁ ରାଜପାଳଙ୍କୁ ହସ୍ତାନ୍ତର କରିଛନ୍ତି । ଏ ନେଇ ଫଡ଼ନାବିସ ନିଜେ ଗଣମାଧ୍ୟମ ସମ୍ମଖରେ ସୂଚନା ଦେଇଛନ୍ତି ।
ବୀଡ ଜିଲ୍ଲାର ପରେଲୀର ବିଧାୟକ ଧନଞ୍ଜୟଙ୍କ ନିକଟ ସହଯୋଗୀ ବାଲ୍ମିକୀ କରାଡ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ପରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୋମବାର ବିଳମ୍ବିତ ରାତି ଯାଏ ଫଡ଼ନାବିସଙ୍କୁ ଭେଟି ଆଲୋଚନା କରିଥିଲେ । ସନ୍ତୋଷ ଦେଶମୁଖ ହତ୍ୟା ମାମଲା ଏବଂ ଅନ୍ୟ ଦୁଇଟି ମାମଲାରେ ସିଆଇଡିକ ଚାର୍ଜସିଟରେ ବାଲ୍ମିକୀ କରାଡ ଏକ ନମ୍ବର ଦୋଷୀ ଅଛନ୍ତି ।
ତେଣୁ ସବୁ ବିଚାର ବିମର୍ଶ ପରେ ମୁଖ୍ୟମନ୍ତ୍ରୀ ଫଡନବୀସ ଆଜି ଧନଞ୍ଜୟ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ ଚର୍ଚ୍ଚା ହେଉଛି । ରାଜ୍ୟ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ଶ୍ରୀ ମୁଣ୍ଡେ ବୀଡ ଜିଲ୍ଲାର ପାରଲିର ଜଣେ ଏନସିପି ବିଧାୟକ। ପୂର୍ବରୁ ସେ ବୀଡର ସରକ୍ଷଣ ମନ୍ତ୍ରୀ ଥିଲେ । ଏନସିପି ମୁଖ୍ୟ ଅଜିତ ପାୱାର ପୁଣେ ଏବଂ ବୀଡ ଜିଲ୍ଲାର ସରକ୍ଷଣ ମନ୍ତ୍ରୀ ଅଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ବୀଡ୍ର ମାସାଜୋଗ୍ ଗାଁର ସରପଞ୍ଚ ଦେଶମୁଖଙ୍କୁ ଗତ ବର୍ଷ ଡିସେମ୍ବର ୯ ତାରିଖରେ ଅପହରଣ କରି ହତ୍ୟା କରାଯାଇଥିଲା । ଜିଲ୍ଲାର ଏକ ବିଦ୍ୟୁତ୍ କମ୍ପାନୀକୁ ଟାର୍ଗେଟ କରି ଏକ ଚାନ୍ଦା ଆଦାୟକୁ ପ୍ରତିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ରାଜ୍ୟ ଅପରାଧ ତଦନ୍ତ ବିଭାଗ (CID) ଫେବୃଆରୀ ୨୭ ତାରିଖରେ ଦେଶମୁଖଙ୍କ ହତ୍ୟା ଏବଂ ଦୁଇଟି ସମ୍ପର୍କିତ ମାମଲାରେ ବୀଡ ଜିଲ୍ଲା କୋର୍ଟରେ ୧,୨୦୦ ରୁ ଅଧିକ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଥିଲା। ସରପଞ୍ଚଙ୍କ ହତ୍ୟା, ଆଭାଡା କମ୍ପାନୀରୁ ଟଙ୍କା ଆଦାୟ ଉଦ୍ୟମ ଏବଂ ଫାର୍ମର ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଭଳି ତିନୋଟି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (MCOCA) ଲାଗୁ କରାଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ସାତ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୋଧରେ MCOCA ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି ।