ନୂଆଦିଲ୍ଲୀ: କାହାକୁ ମିଆଁ ତିଆଁ କିମ୍ବା ପାକିସ୍ତାନୀ କହିବା ଭୁଲ୍ ଏବଂ ଆପତ୍ତିଜନକ ହୋଇପାରେ, ମାତ୍ର ଏହାକୁ ଅପରାଧ କୁହାଯାଇ ପାରିବ ନାହିଁ । ଏପରିକି ଧାର୍ମିକ ଭାବନାକୁ ଆଘାତ ଲାଗୁଥିବା ମାମଲାରେ ମଧ୍ୟ କେସ ରୁଜୁ କରାଯାଇ ପାରିବ ନାହି । ଏମିତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ରୁଜୁ କେସକୁ ଖାରଜ କରି ଏହି ଟିପ୍ପଣୀ କରିଛନ୍ତି । ବୃଦ୍ଧ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ଜଣେ ବ୍ୟକ୍ତିଙ୍କୁ ମିଆଁ-ତିଆଁ ଓ ପାକିସ୍ତାନୀ କହିଥିଲେ । ଏଥିରେ ବ୍ୟକ୍ତିଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଥିଲା । ଏହି ମାମଲାରେ ବୃଦ୍ଧଙ୍କ ବିରୋଧରେ କେସ୍ ରୁଜୁ ହୋଇଥିଲା । ମାତ୍ର ଏହି କେସକୁ ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ସତିଶ ଚନ୍ଦ୍ର ଶର୍ମାଙ୍କ ପୀଠ ଖାରଜ କରିଛନ୍ତି ।
ଖଣ୍ଡପୀଠ କହିଛନ୍ତି, ବୃଦ୍ଧଙ୍କ ଉପରେ ଅଭିଯୋଗ ହୋଇଛି ଯେ, ସେ ମିଆଁ ତିଆଁ ଓ ପାକିସ୍ତାନୀ କହି ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି । ନିଃସନ୍ଦେହ ତାଙ୍କ ଟିପ୍ପଣୀ ଖରାପ ଓ ଭୁଲ୍ ଅଟେ । ମାତ୍ର ଏଥିରେ ଅଭିଯୋଗକାରୀଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗି ନାହିଁ । ଏହି ମାମଲା ଝାଡଖଣ୍ଡର ବୋକାରୋ ଅଞ୍ଚଳର, ଯେଉଁଠି ଜଣେ ଉର୍ଦ୍ଦୁ ଅନୁବାଦକ ମହମ୍ମଦ ଶମିମୁଦ୍ଦୀନ ଅଭିଯୋଗ କରିଥିଲେ ଯେ, ବୃଦ୍ଧ ବ୍ୟକ୍ତି ତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ସେ ମିଆଁ ତିଆଁ ଓ ପାକିସ୍ତାନୀ କହିଛନ୍ତି । ଶମିମୁଦ୍ଦୀନ ୮୦ ବର୍ଷୀୟ ହରି ନାରାୟଣ ସିଂଙ୍କ ଉପରେ ଏହି ଅଭିଯୋଗ ଲଗାଇ କହିଥିଲେ ଯେ, ଏଥିରେ ତାଙ୍କର ଧର୍ମୀୟ ଭାବନାକୁ ଆଘାତ ଲାଗିଛି ।
ତାଙ୍କ ଅଭିଯୋଗ ଆଧାରରେ ବୃଦ୍ଧଙ୍କ ବିରୋଧରେ ଧାରା ୨୯୮(ଧାର୍ମିକ ଭାବନାକୁ ଆଘାତ କରିବା), ସେକ୍ସନ ୫୦୪(ଜାଣିଶୁଣି କାହାକୁ ଅପମାନିତ କରିବା ଓ ଶାନ୍ତି ଭଙ୍ଗ କରିବା), ୫୦୬(ଅପରାଧିକ ଷଡଯନ୍ତ୍ର), ୩୫୩(ସରକାରୀ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର) ପରି ଧାରାରେ କେସ୍ ରୁଜୁ ହୋଇଛି । ବୃଦ୍ଧଙ୍କ ବିରୋଧରେ ତଦନ୍ତ ପରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ୨୦୨୧ ଜୁଲାଇରେ ମାଜିଷ୍ଟ୍ରେଟ୍ ମାମଲାରେ ହସ୍ତକ୍ଷେପ କରି ବୃଦ୍ଧଙ୍କୁ ସମନ ଜାରି କରିଥିଲେ ।
ଏହା ପରେ ବୃଦ୍ଧ ବ୍ୟକ୍ତି ଅତିରିକ୍ତ ସେସନ ଜଜଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଶ୍ୱସ୍ତି ମିଳି ନ ଥିଲା । ପୁଣି ସେ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ସେଠାରେ ବି ତାଙ୍କୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ପୂରା ମାମଲାର ଶୁଣାଣି ପରେ ବୃଦ୍ଧଙ୍କୁ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବୃଦ୍ଧଙ୍କ ଟିପ୍ପଣୀ ଭୁଲ୍ ଅଟେ, କିନ୍ତୁ ଏଥିରେ ଅପରାଧିକ କେସ୍ ରୁଜୁ କରାଯାଇ ପାରିବ ନାହିଁ । ଏବେ ଏହି ଶୁଣାଣି ଅନ୍ୟ କେସ୍ ପାଇଁ ଏକ ଉଦାହରଣ ପାଲଟିପାରେ ।